ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲ୍‌ଡିଂ ଉଦ୍‌ଘାଟିତ

ଭୁବନେଶ୍ୱର, ୧୯।୧୦(ଅସମାପିକା ସାହୁ)ଓଡ଼ିଶା ସ୍ବାସ୍ଥ୍ୟବିଜ୍ଞାନ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ କୋଠାର ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଏଥିସହ ବୁଧବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବିଲ୍‌ଡିଂର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ବିଶ୍ୱବିଦ୍ୟାଳୟର କାର୍ଯ୍ୟର ସୁପରିଚାଳନା ପାଇଁ ଇ-ଅଫିସ୍‌ ଉଦ୍‌ଘାଟିତ ହେବା ସହ ପ୍ରଥମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।
‘ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଆଇନ’ ବିଧାନସଭାରେ ପାରିତ ହୋଇଥିଲା। ୨୦୨୩ ମାର୍ଚ୍ଚ ୫ରୁ ଏକାମ୍ର କ୍ଷେତ୍ର ଶିଶୁଭବନ ଛକରେ ଅସ୍ଥାୟୀ କ୍ୟାମ୍ପସର କାର୍ଯ୍ୟ ଆରମ୍ଭ ହୋଇଥିଲା। ରାଜ୍ୟରେ ମେଡିକାଲ ଏବଂ ସହଯୋଗୀ ସ୍ବାସ୍ଥ୍ୟବିଜ୍ଞାନ ପାଠ୍ୟକ୍ରମକୁ ଶୃଙ୍ଖଳିତ କରିବା ପାଇଁ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୪୨ଟି ସ୍ବାସ୍ଥ୍ୟ ଶିକ୍ଷାନୁଷ୍ଠାନ ଏହି ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହେବା ସଙ୍ଗେ ସଙ୍ଗେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ସହିତ ଅନ୍ୟାନ୍ୟ ପାଠ୍ୟକ୍ରମରେ ଛାତ୍ରୀଛାତ୍ରଙ୍କ ନିମନ୍ତେ ଶିକ୍ଷାଦାନ ଆରମ୍ଭ ହୋଇଛି। ୨୦୨୩-୨୪ ଏକାଡେମିକ୍‌ ସେସନ୍‌ରୁ ଏମ୍‌ବିବିଏସ୍‌, ଏମ୍‌ଡି, ଏମ୍‌ଏସ୍‌, ଡିଏମ୍‌, ଏମ୍‌ସିଏଚ୍‌, ବିଡିଏସ୍‌, ଏମ୍‌ଡିଏସ୍‌, ବିଏଏମ୍‌ଏମ୍‌, ବିଏଚ୍‌ଏମ୍‌ଏସ୍‌, ବିଏସ୍‌ସି ନର୍ସିଂ, ଏମ୍‌ଏସ୍‌ସି ନର୍ସିଂ, ବିପିଟି, ଏମ୍‌ପିଟି, ବିଏମ୍‌ଏଲ୍‌ଟି, ବିଏମ୍‌ଆର୍‌ଟି, ବିଇଏମ୍‌ଟି, ବିଓଟିଟି, ବିଏଟି, ବିଓ, ବିଓଟି, ଏମ୍‌ଓଟି, ବି. ଫାର୍ମ, ଏମ୍‌. ଫାର୍ମ ଇତ୍ୟାଦି ନିର୍ଦ୍ଧାରିତ ନିୟମାବଳୀ ଏବଂ ପାଠ୍ୟକ୍ରମ ଅଧୀନରେ ପରିଚାଳିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦୂରଦୃଷ୍ଟି ତଥା ରାଜ୍ୟ ସରକାରଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିଛି ବୋଲି କୁଳପତି ପ୍ରଫେସର ଦତ୍ତେଶ୍ୱର ହୋତା କହିବା ସହ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ସ୍ବାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ବିଧାୟକ ଡ. ନୃସିଂହ ଚରଣ ସାହୁ ଏବଂ ଡ. ପ୍ରମୋଦ କୁମାର ମଲ୍ଲିକ ଏବଂ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ସାଇଦତ୍ତ ବିପ୍ଳବ କୁମାର ପ୍ରଧାନ ଉପସ୍ଥିତ ଥିଲେ।

Share