Advertisement
Categories: ଖେଳ

ମିଥାଲି ରାଜଙ୍କ ଦଳରେ ସ୍ଥାନ ପାଇଲେ ଏହି ଓଡ଼ିଆ କ୍ରିକେଟର୍‌

ନୂଆଦିଲ୍ଲୀ, ୧୧।୧୦: ମହିଳା ଟି୨୦ ଚ୍ୟାଲେଞ୍ଜ ପ୍ରତିଯୋଗିତା ନଭେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଏଥିଲାଗି ରବିବାର ୩ଟି ଦଳ ଲାଗି ଖେଳାଳି ଘୋଷଣା କରାଯାଇଛି। ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ୩ଟି ଦଳ ହେଲେ ଯଥାକ୍ରମେ ସୁପର୍‌ନୋଭାସ, ଟ୍ରେଲବ୍ଲେଜର ଓ ଭେଲୋସିଟି। ଗତ ବର୍ଷ ଭଳି ୩ ଅନ୍ତର୍ଜାତୀୟ ଷ୍ଟାର୍‌ ମହିଳା ଖେଳାଳି ହରମନପ୍ରୀତ୍‌ କୌର, ସ୍ମୃତି ମନ୍ଧାନା ଓ ମିଥାଲି ରାଜ ଯଥାକ୍ରମେ ସୁପର୍‌ନୋଭାସ, ଟ୍ରେଲବ୍ଲେଜର ଓ ଭେଲୋସିଟି ଦଳର ନେତୃତ୍ୱ ନେବେ। ଓଡ଼ିଆ ଖେଳାଳି ସୁଶ୍ରୀ ଦିବ୍ୟଦର୍ଶିନୀ ଏଥର ମଧ୍ୟ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଖେଳିବା ଲାଗି ସୁଯୋଗ ପାଇଛନ୍ତି। ଢେଙ୍କାନାଳ ଜନ୍ମିତ ୨୩ ବର୍ଷିୀୟା ସୁଶ୍ରୀ ଭେଲୋସିଟି ଦଳରେ ସ୍ଥାନ ପାଇଛନ୍ତି। ଭାରତୀୟ ଦଳର ବରିଷ୍ଠ ଖେଳାଳି ମିଥାଲିଙ୍କ ନେତୃତ୍ୱରେ ସେ ମହିଳା ଟି୨୦ ଚ୍ୟାଲେଞ୍ଜ ପ୍ରତିଯୋଗିତା ଖେଳିବେ। ପୂର୍ବବର୍ଷ ମଧ୍ୟ ସୁଶ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ଭାରତୀୟ ଖେଳାଳିଙ୍କ ସମେତ ଚଳିତ ବର୍ଷ ୧୨ ଜଣ ବିଦେଶୀ ମହିଳା କ୍ରିକେଟର୍‌ ଏହି ପ୍ରତିଯୋଗିତାରେ ଭାଗ ନେବେ। ଗତ ବର୍ଷର ଫାଇନାଲିଷ୍ଟ ଭେଲୋସିଟି ଓ ସୁପର୍‌ନୋଭାସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ନଭେମ୍ବର ୪ରେ ଖେଳାଯିବ। ଏହି ପ୍ରତିଯୋଗିତା ଲାଗି ବିସିସିଆଇ ଭେନ୍ୟୁ ଘୋଷଣା କରି ନ ଥିଲେ ମଧ୍ୟ ସମସ୍ତ ମ୍ୟାଚ୍‌ ୟୁଏଇରେ ଖେଳାଯିବ ବୋଲି ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel