ଅନୁଗୋଳ ଅଫିସ୍/ବଅଁରପାଳ, ୫।୭: ଅନୁଗୋଳରେ ଶନିବାର ଆଉ ୧୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨ ଜଣ କ୍ବାରାଣ୍ଟାଇନ୍ ସେଣ୍ଟରରୁ ହୋଇଥିବାବେଳେ ଅବଶିଷ୍ଟ ୮ ଜଣ ସ୍ଥାନୀୟ ମାମଲା ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି। ନାଲ୍କୋ ଅଞ୍ଚଳରୁ ସର୍ବାଧିକ ୬ ଜଣ ପଜିଟିଭ୍ ବାହାରିଛନ୍ତି। ନାଲ୍କୋର ଜଣେ ବରିଷ୍ଠ ଅଧିକାରୀଙ୍କ କରୋନାରେ ମୃତ୍ୟୁ ଘଟିବା ପରେ ପ୍ରକଳ୍ପ କର୍ତ୍ତୃପକ୍ଷ ଓ ପ୍ରଶାସନ ପକ୍ଷରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ୨୪୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣ ନାଲ୍କୋ କର୍ମଚାରୀ (ପୁରୁଷ), ଜଣେ କର୍ମଚାରୀଙ୍କ ସ୍ତ୍ରୀ ଓ ଜଣେ ଠିକା ଶ୍ରମିକଙ୍କ ରିପୋର୍ଟ ପଜିଟିଭ ଆସିଛି। ସମ୍ପୃକ୍ତ ୬ ଜଣ କେଉଁଆଡେ ଯାଇଛନ୍ତି, କାହାସହ ମିଳାମିଶା କରିଛନ୍ତି ସେ ନେଇ ପ୍ରଶାସନ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି। ସେହିପରି କିଶୋରନଗର ବ୍ଲକ ଅଞ୍ଚଳର ଏକ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରୁ ୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଅନ୍ୟପକ୍ଷରେ କିଶୋରନଗର ଅଞ୍ଚଳରେ ଜଣେ ୩୬ ବର୍ଷୀୟ ସ୍ଥାନୀୟ ଯୁବକ, କଣିହଁାସ୍ଥିତ ଏନ୍ଟିପିସି ଶିଳ୍ପାଞ୍ଚଳରୁ ଜଣେ ୭୬ ବର୍ଷୀୟ ବୃଦ୍ଧ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଛନ୍ତି। ତେବେ ସ୍ଥାନୀୟ ବା ଲୋକାଲ୍ କେସ୍ ବାହାରିବା ପରେ ଜିଲା ପ୍ରଶାସନ ଚିନ୍ତାରେ ପଡିଛି। ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସ୍ କରାଯିବ। ସେମାନଙ୍କୁ ପର୍ଯ୍ୟାୟକ୍ରମେ ତାଳଚେର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିବା ଜିଲାପାଳ ସୂଚନା ଦେଇଛନ୍ତି। ଏହି ୧୦ ଜଣଙ୍କୁ ମିଶାଇ ଜିଲାରେ ପଜିଟିଭ ସଂଖ୍ୟା ୧୦୬ରେ ପହଞ୍ଚତ୍ଛି। ଅପରପକ୍ଷେ ଶୁକ୍ରବାର କରୋନା ମୁକ୍ତ ହୋଇଥିବା ୬ଜଣଙ୍କୁ କୋଭିଡ୍ କେୟାର ସେଣ୍ଟରରେ ନିରୀକ୍ଷଣ ପାଇଁ ରଖାଯାଇଛି। ଜିଲାରେ ବର୍ତ୍ତମାନ ସୁଦ୍ଧା ୬୦ ଜଣ କରୋନାରୁ ସୁସ୍ଥ ହୋଇଥିବା ଜିଲାପାଳ କହିଛନ୍ତି।