ଦ୍ୱିତୀୟ ସ୍ଥାନରେ ଓଏଫ୍‌ସି

ଭୁବନେଶ୍ୱର,୩।୧୨(ସ୍ପୋଟର୍‌ସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ନିଜର ବିଜୟ ଧାରା ବଜାୟ ରଖିଛି। ଶୁକ୍ରବାର ଦଳ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସିକୁ ୨-୧ରେ ହରାଇବା ସହିତ ପଏଣ୍ଟ ଟେବଲରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଓଏଫ୍‌ସି ନିଜର ଚତୁର୍ଥ ମ୍ୟାଚ ଖେଳୁଥିବା ବେଳେ ଅପରାଜେୟ ରହିଛି। ଉଭୟ ଦଳ ୪-୩-୩ କମ୍ବିନେଶନ ସହିତ ପଡିଆକୁ ଓହ୍ଲାଇଥିଲେ। ଘରୋଇ ଦର୍ଶକଙ୍କ ସମର୍ଥନରେ ଖେଳୁଥିବା ଓଏଫ୍‌ସି ମ୍ୟାଚର ୫୯ %ସମୟ ବଲକୁ ନିୟନ୍ତ୍ରଣରେ ରଖିଥିଲା। ଓଏଫ୍‌ସି ଆରମ୍ଭରୁ ଆକ୍ରମଣାତ୍ମକ ଫୁଟବଲ ଖେଳିଥିଲା। ପ୍ରଥମାର୍ଦ୍ଧର ୨୪ ତମ ମିନିଟରେ ଓଡ଼ିଶାର ଫରଓ୍ବାର୍ଡ ନନ୍ଦକୁମାର ଶେଖର ପ୍ରଥମ ଗୋଲ ସ୍କୋର କରିଥିଲେ। ଡିଏଗୋ ମରିସିଓଙ୍କ ଏକ କ୍ରସ୍‌ ବାହାରକୁ ଯାଉଥିବା ବେଳେ ଏକ ଚମତ୍କାର ସ୍ଲାଇଡ୍‌ ସହିତ ଏହାକୁ ଦିଗ ଦେଖାଇଥିଲେ ନନ୍ଦକୁମାର। ଏହି ଗୋଲ ସହିତ ଓଏଫ୍‌ସି ପ୍ରଥମାର୍ଦ୍ଧରେ ୧-୦ରେ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟାର୍ଦ୍ଧରେ ନର୍ଥଇଷ୍ଟ ପକ୍ଷରୁ ଆକ୍ରମଣ କରାଯିବା ସହିତ ୬୦ତମ ମିନିଟରେ ପ୍ରଥମ ଗୋଲ ପରିଶୋଧ କରାଯାଇଥିଲା। ରୋଛରଜେଲା ଦଳ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ। ଡାହାଣ ପଟରୁ ଇମ୍ରାନ ଖାନଙ୍କ କ୍ରସ୍‌କୁ ପୋଷ୍ଟ ମଧ୍ୟକୁ ପଠାଇବା ସହିତ ଓଏଫ୍‌ସି ଗୋଲରକ୍ଷକ ଅମରିନ୍ଦର ସିଂଙ୍କୁ ପରାସ୍ତ କରିଥିଲେ ରୋଛରଜେଲା। ନର୍ଥଇଷ୍ଟ ୟୁନାଇଟେଡ୍‌ ପ୍ରଥମ ପଏଣ୍ଟ ଆଡକୁ ଅଗ୍ରସର ହେଉଥିବା ବେଳେ ଜେରି ମାହ୍ବିମିଙ୍ଗଥଙ୍ଗା ସ୍କୋର କରିଥିଲେ ନିର୍ଣ୍ଣାୟକ ଗୋଲ। ବକ୍ସ ବାହାରୁ ସଲ୍‌ କ୍ରେସ୍ପୋଙ୍କ ପାଶକୁ ଗୋଲରେ ପରିଣତ କରିବା ସହିତ ଜେରି ଓଡ଼ିଶାକୁ ବିଜୟୀ କରିଥିଲେ। ଏହି ବିଜୟ ସହିତ ଓଏଫ୍‌ସି ୮ ମ୍ୟାଚରୁ ୧୮ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛି।

Share