Categories: ଖେଳ

ଦ୍ୱିତୀୟ ବିଜୟ ସହ ଶୀର୍ଷରେ ଓଏଫ୍‌ସି

ଭୁବନେଶ୍ୱର, ୧୮।୧ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଳିଙ୍ଗ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ବୁଧବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଓଡ଼ିଶା ଏଫ୍‌ସି ୩-୦ ଗୋଲରେ ଇଣ୍ଟର କାଶିକୁ ପରାସ୍ତ କରିଛି। ଫଳରେ ୨ ମ୍ୟାଚରୁ ୨ ବିଜୟ ସହ ଘରୋଇ ଦଳ ୬ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି। ଏଥିସହ ଦଳ ନକ୍‌ଆଉଟକୁ ଯୋଗ୍ୟତା ହାସଲ କରିବା ଦ୍ୱାରରେ ପହଞ୍ଚତ୍ ଯାଇଛି।
ମ୍ୟାଚରେ ସମ୍ପୂର୍ଣ୍ଣ ପ୍ରଭାବ ବିସ୍ତାର କରି ଖେଳିଥିଲା ଓଡ଼ିଶା ଏଫ୍‌ସି। ପ୍ରଥମ ୩୦ ମିନିଟରେ ଇଣ୍ଟର କାଶି ଯଦିଓ ଭଲ ଚ୍ୟାଲେଞ୍ଜ ଦେଇଥିଲା ତେବେ ମ୍ୟାଚ ଆଗେଇବା ସହ ଅଭିଜ୍ଞତାର ଉପଯୋଗ କରି ଓଡ଼ିଶା ଏଫ୍‌ସି ଖେଳାଳିମାନେ ମ୍ୟାଚକୁ ନିୟନ୍ତ୍ରଣକୁ ଆଣିଥିଲେ। ୩୬ତମ ମିନିଟରେ ପ୍ରଥମ ୟେଲୋ କାର୍ଡ ପାଇଥିଲେ ଓଡ଼ିଶା ଏଫ୍‌ସିର ପ୍ରିନ୍ସେଣ୍ଟନ ରେବେଲୋ। ତେବେ ପ୍ରଥମାର୍ଦ୍ଧ ହୁଇସିଲ ବାଜିବାର ଅଳ୍ପକିଛି କ୍ଷଣ ପୂର୍ବରୁ ୪୫ତମ ମିନିଟରେ ଲାଲଥଥଙ୍ଗା ଖାଲରିଙ୍ଗ ଗୋଲ ଦେଇ ଘରୋଇ ଦଳକୁ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟାର୍ଦ୍ଧରେ ଅର୍ଥାତ୍‌ ୬୦ତମ ମିନିଟରେ ଡିଏଗୋ ମୌରିସିଓ ମାଚାଡୋ ଡି ବ୍ରିଟୋ ଆଉ ଏକ ଗୋଲ ଦେଇ ଓଡ଼ିଶା ଏଫ୍‌ସି ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ। ଫାଉଲ ମାରିବା ଯୋଗୁ ଇଣ୍ଟର କାଶିର ଅନିଲ ଚଓ୍ବନ ୭୫ତମ ମିନିଟରେ ୟେଲୋ କାର୍ଡ ପାଇଥିଲେ। ଏଥିପାଇଁ ରେଫରିଙ୍କ ସହ ଯୁକ୍ତିତର୍କ ଯୋଗୁ ତାଙ୍କୁ ଦ୍ୱିତୀୟ ୟେଲୋ ଓ ରେର୍ଡ କାର୍ଡ ଦିଆଯାଇ ପଡ଼ିଆରୁ ବାହାର ପଥ ଦେଖାଇ ଦିଆ ଯାଇଥିଲା। ୭୯ତମ ମିନିଟରେ ଓଡ଼ିଶା ଏଫ୍‌ସି ପକ୍ଷରୁ ତୃତୀୟ ଗୋଲଟି ଦେଇଥିଲେ ଇସାକ ଭାନଲାଲରୁଆଟଫେଲା। ପୂରା ମ୍ୟାଚରେ ଉତ୍ତମ ପ୍ରଦର୍ଶନ ପାଇଁ ଡିଏଗୋ ମୌରିସିଓଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା।

ଫର୍ନାଣ୍ଡିସଙ୍କ ଗୋଲରେ ଗୋଆ ବିଜୟୀ

ବୁଧବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଏଫ୍‌ସି ଗୋଆ ୧-୦ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି। ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲା। ୯୦ ମିନିଟ୍‌ ପର୍ଯ୍ୟନ୍ତ କେହି କାହାରିକୁ ଗୋଲ ଦେଇପାରି ନ ଥିଲେ। ମାତ୍ର ଇଞ୍ଜୁରି ଟାଇମ୍‌ରେ ଗୋଆକୁ ଭାଗ୍ୟଦେବୀ ସହାୟ ହୋଇଥିଲେ। ୯୦+୪ ମିନିଟରେ ବ୍ରିସନ ଦୁବେନ ଫର୍ନାଣ୍ଡିଜ ଏକ ଗୋଲ ଦେଇ ଗୋଆ ଶିବିରରେ ଉତ୍ସାହ ଖେଳାଇ ଦେଇଥିଲେ। ଗୋଲ ପରିଶୋଧ ପାଇଁ ଆଉ ସମୟ ନ ଥିଲା। ଫଳରେ ଗୋଆ ବିଜୟ ହାସଲ କରିଥିଲା। ବେଙ୍ଗାଲୁରୁ ଦଳର ୨ ଖେଳାଳି ହର୍ଷ ଶୈଲେଶ୍‌ ପତ୍ରି ଓ ସ୍ଲାଭ୍‌କୋ ଡମ୍‌ଜାନୋଭିଚ୍‌ ୟେଲୋ କାର୍ଡ ପାଇଥିଲେ। ୨ ମ୍ୟାଚରୁ ୨ ବିଜୟ ସହ ଗୋଆ ୬ ପଏଣ୍ଟରେ ପହଞ୍ଚତ୍ ଯାଇଛି। ଅନ୍ୟପକ୍ଷରେ ବେଙ୍ଗାଲୁରୁ ଏଫ୍‌ସି ଖେଳିଥିବା ୨ଟି ଯାକ ମ୍ୟାଚ ହାରିଥିବାରୁ ଗ୍ରୁପ୍‌ ପର୍ଯ୍ୟାୟରୁ ଅଭିଯାନ ଶେଷ କରିବା ନିଶ୍ଚିତ ହୋଇଛି।

Share