Categories: ଖେଳ

ଆଜି ବସୁନ୍ଧରାକୁ ଭେଟିବ ଓଏଫ୍‌ସି

ଭୁବନେଶ୍ୱର,୧୧ା୧୨(ସରୋଜ ଜେନା): ଏଏଫ୍‌ସି କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ସୋମବାର ବସୁନ୍ଧରା କିଙ୍ଗ୍ସକୁ ଭେଟିବ ଓଡ଼ିଶା ଏଫ୍‌ସି (ଓଏଫ୍‌ସି)। ଏଏଫ୍‌ସି କପ୍‌ର ଅନ୍ତିମ ମ୍ୟାଚ୍‌ରେ ଦଳ ମୋହନବାଗାନକୁ ୫-୨ରେ ପରାସ୍ତ କରିଥିଲା। ଫଳରେ ଦଳ ଆତ୍ମବିଶ୍ୱାସର ସହ ପଡିଆକୁ ଓହ୍ଲାଇବ। ଗ୍ରୁପ୍‌ ଡିର ପ୍ରଥମ ସ୍ଥାନରେ ରହିଥିବା ବସୁନ୍ଧରା ପୂର୍ବରୁ ଓଏଫ୍‌ସିକୁ ୨-୩ରେ ହରାଇଥିବା ବେଳେ ଦଳ ଏହାର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ଘରୋଇ ଦର୍ଶକଙ୍କ ସମ୍ମୁଖରେ ଦଳ ବିଜୟୀ ହେବାକୁ ଚେଷ୍ଟା କରିବ। ୫ ମ୍ୟାଚ୍‌ ଖେଳି ସାରିଥିବା ଓଏଫ୍‌ସି ୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଅନ୍ତିମ ମ୍ୟାଚ୍‌ ବିଜୟୀ ହେଲେ ଏହା ପରବର୍ତ୍ତୀ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହେବ। ତେବେ ଏହି ମ୍ୟାଚ୍‌ ଡ୍ର ରଖିଲେ ବସୁନ୍ଧରା ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବ। ରବିବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିଲେ ଓଏଫ୍‌ସି ମୁଖ୍ୟ କୋଚ୍‌ ସର୍ଗିଓ ଲୋବେରା ଓ ଅଧିନାୟକ ଅମରିନ୍ଦର ସିଂ। ଏହି ମ୍ୟାଚ୍‌ ପୂର୍ବର ମାହୋଲ ବେଶ ସକରାତ୍ମକ ରହିଛି ବୋଲି କହିଛନ୍ତି ମୁଖ୍ୟ କୋଚ୍‌ ସର୍ଗିଓ ଲୋବେରା। ଏହି ମ୍ୟାଚ୍‌ଟି ବେଶ ସଂଘର୍ଷପୂର୍ଣ୍ଣ ହେବା ନେଇ ସେ ଆଶା କରିଛନ୍ତି। ବସୁନ୍ଧରା ବର୍ତ୍ତମାନ ଭଲ ସ୍ଥିତିରେ ରହିଛି ତେବେ ଓଏଫ୍‌ସି ଏହି ମ୍ୟାଚ୍‌ରେ କଡା ଟକ୍କର ଦେବ ବୋଲି ସେ ଆଶା କରିଛନ୍ତି। ଦଳର ସମସ୍ତ ଖେଳାଳିଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ତେଣୁ ସମସ୍ତ ଖେଳାଳି ଶତ ପ୍ରତିଶତ ପ୍ରୟାସ କରିବେ ବୋଲି ଲୋବେରା କହିଛନ୍ତି। କୌଣସି ଖେଳାଳିଙ୍କ ଉପରେ ଚାପ ନାହିଁ। ଦର୍ଶକଙ୍କ ସମର୍ଥନରେ ଆମେ ଏହି ମ୍ୟାଚକୁ ଉପଭୋଗ କରିବୁ ବୋଲି କହିଛନ୍ତି ଲୋବେରା।

Share