Categories: Home Leftଖେଳ

କ୍ରିଷ୍ଣାଙ୍କ ଡବଲରେ ଓଏଫ୍‌ସି ବିଜୟୀ

ଭୁବନେଶ୍ୱର, ୩୦।୧୨ (ତପନ ସ୍ବାଇଁ): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଚଳିତ ସିଜନରେ ଓଡ଼ିଶାର ଏଫ୍‌ସିର ଚମତ୍କାର ପ୍ରଦର୍ଶନ ବଜାୟ ରହିଛି। ରୟ କ୍ରିଷ୍ଣାଙ୍କ ଡବଲ ଗୋଲ ବଳରେ ଏହି ଦଳ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଜାମସେଦପୁର ଏଫ୍‌ସିକୁ ୪-୧ ଗୋଲରେ ପରାସ୍ତ କରିଛି। ଫଳରେ ୧୨ ମ୍ୟାଚରୁ ୭ ବିଜୟ, ୩ ଡ୍ର ଓ ୨ ପରାଜୟ ସହ ଦଳ ୨୪ ପଏଣ୍ଟ ପାଇ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ପୂର୍ବ ମ୍ୟାଚରେ ଓଏଫ୍‌ସି ୧-୦ ଗୋଲରେ ପଞ୍ଜାବ ଏଫ୍‌ସିକୁ ପରାସ୍ତ କରିଥିଲା। କେରଳ ବ୍ଲାଷ୍ଟର୍ସ ୧୨ ମ୍ୟାଚରୁ ୨୬ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହିଛି।
କଳିଙ୍ଗ ଷ୍ଟାଡିୟମରେ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଓଡ଼ିଶା ଏଫ୍‌ସି ପ୍ରଭାବୀ ପ୍ରଦର୍ଶନ କରିଥିଲା। ଜାମସେଦପୁର ଏଫ୍‌ସିର ତାଚିକାଓ୍ବା ୨୩ତମ ମିନିଟରେ ଗୋଟିଏ ଗୋଲ ଦେଇ ଦଳକୁ ଅଗ୍ରଣୀ କରିଥିଲେ। ମାତ୍ର ଦଳର ଏହି ଖୁସି ଅଧିକ ସମୟ ତିଷ୍ଠିପାରି ନ ଥିଲା। ୨୭ତମ ମିନିଟରେ ଓଡ଼ିଶା ଏଫ୍‌ସି ପକ୍ଷରୁ ଇସାକ୍‌ ଭନଲାଲରୁଆତଫେଲା ଗୋଲ ପରିଶୋଧ କରି ଦେଇଥିଲେ। ଏହାପରେ କମାଲ ଦେଖାଇଥିଲେ ରୟ କ୍ରିଷ୍ଣା ଓ ଡିଏଗୋ ମୌରିସିଓ। ୩୬ତମ ମିନିଟରେ କ୍ରିଷ୍ଣା ଏକ ଗୋଲ ଦେଇ ଓଏଫ୍‌ସିକୁ ଅଗ୍ରଣୀ କରିଥିଲେ। ପ୍ରଥମାର୍ଦ୍ଧର ଇଞ୍ଜୁରି ଟାଇମ୍‌ ଅର୍ଥାତ୍‌ ୪୫+୨ ମିନିଟରେ ଜାମସେଦପୁର ଖେଳାଳିଙ୍କ ବିପଜ୍ଜନକ ପ୍ରଦର୍ଶନ ପାଇଁ ଓଡ଼ିଶା ଏଫ୍‌ସିକୁ ପେନାଲ୍ଟି ମିଳିଥିଲା। ମୌରିସିଓ ଏହାକୁ ଗୋଲରେ ପରିଣତ କରି ବିପକ୍ଷ ଦଳ ଉପରେ ଚାପ ସୃଷ୍ଟି କରିଥିଲେ। ଏହାର ୧ ମିନିଟ ପରେ ଅର୍ଥାତ୍‌ ୪୫+୩ ମିନିଟରେ ବ୍ୟକ୍ତିଗତ ଦ୍ୱିତୀୟ ଓ ଦଳ ପକ୍ଷରୁ ୪ର୍ଥ ଗୋଲଟି ଦେଇ ଜାମସେଦପୁର ଏଫ୍‌ସିକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଦ୍ୱିତୀୟାର୍ଦ୍ଧରେ ମ୍ୟାଚ ବେଶ୍‌ ରୋମାଞ୍ଚ ହୋଇଥିଲେ ହେଁ ଗୋଲ ହୋଇପାରି ନ ଥିଲା। ଜାମସେଦପୁର ପକ୍ଷରୁ ହୋଇଥିବା ଆକ୍ରମଣକୁ ଓଡ଼ିଶା ଏଫ୍‌ସି ରକ୍ଷଣଭାଗ ଦକ୍ଷତାର ସହ ପ୍ରତିହତ କରିଥିଲେ। ମ୍ୟାଚର ୬୫ ପ୍ରତିଶତ ସମୟରେ ବଲ୍‌ ଓଡ଼ିଶା ଏଫ୍‌ସି ନିୟନ୍ତ୍ରଣରେ ରହିଥିଲା। ଏଠାରେ ବିଜୟ ଫଳରେ ବ୍ରେକ୍‌ରେ ଯିବା ପୂର୍ବରୁ ଓଡ଼ିଶା ଏଫ୍‌ସି ଖେଳାଳିଙ୍କ ଅତ୍ମବିଶ୍ୱାସ ବହୁ ପରିମାଣରେ ବୃଦ୍ଧି ପାଇଛି। ଗୁଆହାଟୀରେ ନର୍ଥଇଷ୍ଟ ୟୁନାଇଟେଡ ଓ ଏଫ୍‌ସି ଗୋଆ ମ୍ୟାଚ ସହିତ ଆଇଏସ୍‌ଏଲ୍‌ର ବ୍ରେକ୍‌ ଅବଧି ଆରମ୍ଭ ହୋଇଛି। କାତାରରେ ଭାରତ ଏଏଫ୍‌ସି ଏସିଆନ କପ୍‌ରେ ଭାଗ ନେବାକୁ ଯାଉଥିବାରୁ ଭାରତୀୟ ଖେଳାଳିମାନେ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ବ୍ୟସ୍ତ ରହିବେ।