Categories: ଖେଳ

ପରାଜୟରୁ ଓଏଫ୍‌ସିର ଅଭିଯାନ

କୋକ୍ରାଝର୮ା୮: ଡୁରାଣ୍ଡ କପ୍‌ ଫୁଟବଲ ଟୁର୍ନାମେଣ୍ଟର ୧୩୨ ତମ ସଂସ୍କରଣରେ ପରାଜୟରୁ ଅଭିଯାନ ଆରମ୍ଭ କରିଛି ଓଡ଼ିଶା ଏଫ୍‌ସି (ଓଏଫ୍‌ସି)। ଆସାମସ୍ଥିତ କୋକ୍ରାଝରରେ ଖେଳା ଯାଇଥିବା ମ୍ୟାଚରେ ଇଣ୍ଡିଆନ୍‌ ଆର୍ମି ୧-୦ ଗୋଲରେ ଓଏଫ୍‌ସିକୁ ପରାସ୍ତ କରିଛି। ଇଣ୍ଡିଆନ୍‌ ଆର୍ମି ପକ୍ଷରୁ ଲିଟନ୍‌ ଶିଲ୍‌ ଏକମାତ୍ର ଗୋଲ ସ୍କୋର କରିଥିଲେ। ପ୍ରଥମ ସଂସ୍କରଣର କ୍ୱାର୍ଟର ଫାଇନାଲ ପ୍ରବେଶ କରିଥିବା ଓଏଫ୍‌ସି ଚଳିତ ଟୁର୍ନାମେଣ୍ଟ ପାଇଁ ଏହାର ରିଜର୍ଭ ଦଳ ପଠାଇଥିବା ବେଳେ ଇଣ୍ଡିଆନ୍‌ ଆର୍ମି ପ୍ରଥମ ମିନିଟରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା।
ମ୍ୟାଚ୍‌ର ପ୍ରଥମ ମିନିଟରୁ ଇଣ୍ଡିଆନ୍‌ ଆର୍ମି ଆକ୍ରମଣାତ୍ମକ ଢଙ୍ଗରେ ଆରମ୍ଭ କରିଥିଲା। ପ୍ରଥମ ମିନିଟରେ ସ୍କୋରିଂ ସୁଯୋଗ ସୃଷ୍ଟି ହୋଇଥିଲେ ହେଁ ରାହୁଲ ରାମକ୍ରିଷ୍ଣନ୍‌ ଏହାକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲେ। ଏହାର କିଛି ମିନିଟ ମଧ୍ୟରେ କ୍ରିଷ୍ଟୋଫର କେମେଇ ପ୍ରୟାସ କରିଥିବା ବେଳେ ଓଏଫ୍‌ସି ଗୋଲକିପର ନୀରଜ କୁମାର ଏହାକୁ ପଣ୍ଡ କରି ଦେଇଥିଲେ। ଇଣ୍ଡିଆନ୍‌ ଆର୍ମି ଚାପ ସୃଷ୍ଟି କରିବାରେ ସମର୍ଥ ହୋଇଥିବା ବେଳେ ଉଭୟ ଦଳ କିନ୍ତୁ ସ୍କୋର କରିବାରେ ବିଫଳ ହୋଇଥିଲେ। ୪୨ତମ ମିନିଟରେ ସମୀର ମୁର୍ମୁଙ୍କ ପାଶ୍‌କୁ ଗୋଲରେ ପରିଣତ କରିଥିଲେ ଲିଟନ୍‌ ଶିଲ୍‌।
ଦ୍ୱିତୀୟାର୍ଦ୍ଧରେ ଓଏଫ୍‌ସି ପକ୍ଷରୁ ଆକ୍ରମଣାତ୍ମକ ପ୍ରଦର୍ଶନ ସହିତ ଗୋଲ ପରିଶୋଧର ପ୍ରୟାସ କରାଯାଇଥିଲା। ତେବେ ଅଭିଜ୍ଞ ଇଣ୍ଡିଆନ୍‌ ଆର୍ମି ପକ୍ଷରୁ ଖେଳକୁ ଧିମା କରାଯିବାକୁ ପ୍ରୟାସ କରାଯାଇଥିଲା। ୭୭ତମ ମିନିଟରେ ଲିଟନ ଓଏଫ୍‌ସି ଡିଫେଣ୍ଡର ଟଙ୍କଧର ବାଗଙ୍କୁ ଫାଉଲ ମାରି ରେଡ କାର୍ଡ ପାଇଥିଲେ। ଓଏଫ୍‌ସି ପକ୍ଷରୁ ଗୋଲ ପରିଶୋଧର ଉଦ୍ୟମ କରାଯାଇଥିଲେ ମଧ୍ୟ ସଫଳ ହୋଇ ନ ଥିଲା।

Share