Categories: ଖେଳ

ଓଏଫ୍‌ସିର କ୍ରମାଗତ ବିଜୟ

ଭୁବନେଶ୍ୱର,୨୧ା୧୨(ସରୋଜ ଜେନା): ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌ ଫୁଟବଲରେ କ୍ରମାଗତ ବିଜୟ ହାସଲ କରିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ବୁଧବାର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍‌ରେ ଦଳ ୨-୦ ଗୋଲରେ ଡିଫେଣ୍ଡିଂ ଚାମ୍ପିୟନ ଗୋକୁଳମ କେରଳକୁ ପରାସ୍ତ କରିଛି। ଓଏଫ୍‌ସି ପକ୍ଷରୁ ପ୍ୟାରୀ ଖାଖା(୩୨) ଓ ଏସ୍‌ ଲିଣ୍ଡା କମ୍‌ (୮୩) ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ।
ଉଭୟ ଦଳ ପ୍ରାରମ୍ଭରୁ ଆକ୍ରମଣାତ୍ମକ ଫୁଟବଲ ଖେଳିଥିଲେ। ପଞ୍ଚମ ମିନିଟରେ ଓଏଫ୍‌ସି ପକ୍ଷରୁ ଅସ୍ତମ ଓରାଓଁଏକ ସ୍କୋରିଂ ସୁଯୋଗ ସୃଷ୍ଟି କରିଥିଲେ। ତେବେ ଏହାକୁ ଗୋକୁଳମ୍‌ ଡିଫେଣ୍ଡର ଅଟକାଇବାରେ ସଫଳ ହୋଇଥିଲେ। ୧୦ମ ମିନିଟରେ ଗୋକୁଳମ ପ୍ରୟାସକୁ ନିଷ୍ଫଳ କରିଥିଲେ ସ୍ବିଟି। ପ୍ରଥମାର୍ଦ୍ଧର ୩୨ ତମ ମିନିଟରେ ଓଏଫ୍‌ସିକୁ ଅଗ୍ରଣୀ ପ୍ରଦାନ କରିଥିଲେ ପ୍ୟାରୀ ଖାଖା। ଲେଫ୍ଟ ଫ୍ଲାଙ୍କରୁ ସଞ୍ଜୁ ଓ ଯଶୋଦା ମୁଣ୍ଡା ଚମତ୍କାର ତାଳମେଳ ଦେଖାଇବା ସହିତ ପ୍ୟାରୀଙ୍କୁ ପାଶ୍‌ କରିଥିଲେ। ଏହାକୁ ଗୋଲରେ ପରିଣତ କରି ପ୍ୟରୀ ଓଏଫ୍‌ସିକୁ ୧-୦ରେ ଆଗୁଆ କରିଥିଲେ। ୪୫+୩ ମିନିଟରେ ଓ୍ବିନ ଓ ୫୩ ମିନିଟରେ ଇନ୍ଦୁମତୀ କାଥିରସେନଙ୍କ ନିକଟରେ ସ୍କୋରିଂ ରହିଥିଲେ ମଧ୍ୟ ଶଟ୍‌ ପୋଷ୍ଟ ବାହାରକୁ ଯାଇଥିଲା। ୮୩ ତମ ମିନିଟରେ ଯଶୋଦାଙ୍କ ପାଶ୍‌କୁ ଗୋଲରେ ପରିଣତ କରି ଲିଣ୍ଡା କମ୍‌ ଓଏଫ୍‌ସିର ଅଗ୍ରଣୀକୁ ୨-୦ରେ ପହଞ୍ଚାଇଥିଲେ। ଏହି ବିଜୟ ସହିତ ଓଏଫ୍‌ସି ବର୍ତ୍ତମାନ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛି। ଓଏଫ୍‌ସି ଏହାର ପରବର୍ତ୍ତୀ ମ୍ୟାଚ୍‌ ଜାନୁୟାରୀ ୫ ତାରିଖରେ ସେଥୁ ଏଫ୍‌ସି ବିପକ୍ଷରେ ଖେଳିବ।

Share