Categories: ଫୁରସତ

ଦେବୀ ମା’ଙ୍କୁ ଚପଲ, ଟୋପି ଉପହାର

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳସ୍ଥିତ କୋଲାର ଅଞ୍ଚଳର ଏକ ଛୋଟ ପାହାଡ ଉପରେ ଅଛି ମା’ ଦୁର୍ଗାଙ୍କର ଏକ ମନ୍ଦିର। ଯାହା ‘ସିଦ୍ଧଦାତ୍ରୀ ପହାଡାବାଲା’ ମନ୍ଦିର ନାମରେ ପରିଚିତ। ତା’ସହ କେହି କେହି ଉକ୍ତ ମନ୍ଦିରକୁ ‘ଜୀଜୀବାଈ’ ମନ୍ଦିର ବି କୁହନ୍ତି। ଏହି ମନ୍ଦିରକୁ ଭକ୍ତମାନେ ବିଭିନ୍ନ ସ୍ଥାନରୁ ଆସି ବିଭିନ୍ନ ମାସିକ ରଖିଥାନ୍ତି। ଆଉ ମାନସିକ ପୂରଣ ହେଲାପରେ ସେମାନେ ମା’ ଦୁର୍ଗାଙ୍କୁ ଚପଲ ଉପହାରସ୍ବରୂପ ଦେଇଥାନ୍ତି। ଚପଲ ସହ ଖରାଦିନେ ଭକ୍ତମାନେ ମା’ଙ୍କୁ ଚଷମା, ଟୋପି ଓ ଘଣ୍ଟା ବି ଉପହାସ୍ବରୂପ ପ୍ରଦାନ କରନ୍ତି। ଏହି ନିଆରା ପରମ୍ପରା ଦୀର୍ଘ ୨୦ ବର୍ଷ ଧରି ଚାଲି ଆସୁଛି। ତେବେ ଆପଣମାନେ ଭାବୁଥିବେ ସାଧାରଣତଃ ମନ୍ଦିର ଭିତରକୁ ଚପଲ ପିନ୍ଧିକି ଯିବା ମନା ହୋଇଥାଏ। ଆଉ ଏଠାରେ କିଭଳି ଉପହାରସ୍ବରୂପ ମା’ ଚପଲ ପ୍ରଦାନ କରାଯାଉଛି? ତେବେ ଏହା ପଛର କାହାଣୀ ହେଉଛି ଯେ, ଓମପ୍ରକାଶ ମହାରାଜ ନାମକ ଜଣେ ବ୍ୟକ୍ତି ଏଠାରେ ମା’ଙ୍କର ମୂର୍ତ୍ତି ସ୍ଥାପନ କରିଥିଲେ। ତା’ସହ ଶିବ ପାର୍ବତୀଙ୍କର ବିବାହ କରାଇ ନିଜେ କନ୍ୟାଦାନ ବି କରିଥିଲେ। ସେବେଠାରୁ ସେ ସିଦ୍ଧଦାତ୍ରୀ ମା’ଙ୍କୁ ନିଜ ଝିଅ ମନେକରି ପୂଜା କରିଆସୁଛନ୍ତି। ଆଉ ସବୁ ବାପାଙ୍କ ପରି ଝିଅର ସବୁ ଇଛା ସେ ପୂରଣ କରୁଛନ୍ତି। ସବୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଛନ୍ତି ଓ ତାଙ୍କର ବହୁତ ଯତ୍ନ ବି ନେଉଛନ୍ତି। କେତେବେଳେ ଯଦି ତାଙ୍କୁ ଆଭାସ ହୁଏ ମା’ ସିଦ୍ଧଦାତ୍ରୀ ପିନ୍ଧିଥିବା ପୋଷାକରେ ସନ୍ତୁଷ୍ଟ ନୁହନ୍ତି ସେ ସଙ୍ଗେ ସଙ୍ଗେ ତାକୁ ବଦଳାଇ ଦିଅନ୍ତି। ଖାଲି ଯେ, ସେ ମା’ଙ୍କୁ ନିଜ ଝିଅ ଭାବି ସବୁ ଜିନିଷ ଦିଅନ୍ତି ତାହା ନୁହେଁ ଭକ୍ତମାନେ ମଧ୍ୟ ମା’ଙ୍କୁ ଚପଲଠୁ ଆରମ୍ଭ କରି ଚଷମା, ଟୋପି ଆଦି ଉପହାର ପ୍ରଦାନ କରନ୍ତି। ଅନେକ ବିଦେଶୀ ଭକ୍ତ ମଧ୍ୟ ମା’ଙ୍କ ପାଇଁ ଚପଲ ପଠାଇଥାନ୍ତି। ତେବେ ମା’ଙ୍କୁ ଚପଲ ଚଢାଯିବାର ଦିନକ ପରେ ସେଗୁଡିକୁ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥାଏ।

Share