Categories: ଜାତୀୟ

ଖୋଲା ସ୍ଥାନରେ ନମାଜ ପାଠକୁ ସହ୍ୟ କରାଯିବ ନାହିଁ

ନୂଆଦିଲ୍ଲୀ,୧୧।୧୨: ଗୁରଗାଓଁରେ ମୁସଲମାନମାନେ ଖୋଲା ସ୍ଥାନରେ ଶୁକ୍ରବାର ନମାଜ ପାଠ କରିବା ଉଚିତ ନୁହେଁ। ଏଭଳି କହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଖଟ୍ଟର। ୨୦୧୮ରେ ହିନ୍ଦୁ ସମ୍ପ୍ର୍ରଦାୟ ସହ ବିବାଦ ପରେ ସହରର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଶୁକ୍ରବାର ନମାଜ ପାଠ କରିବା ଲାଗି ଏକ ଚୁକ୍ତିନାମା ହୋଇଥିଲା। ସେହି ନିଷ୍ପତ୍ତିରୁ ଓହରି ଯାଇଛନ୍ତି ଭାଜପାର ବରିଷ୍ଠ ନେତା।

ଚୁକ୍ତିରେ ଉଲ୍ଲେଖ ଥିବା ସ୍ଥାନରେ ନମାଜ ପାଠ କରୁଥିବା ବେଳେ ମୁସଲମାନମାନଙ୍କୁ ହଇରାଣ କରୁଛନ୍ତି ଡାହାଣ ପନ୍ଥୀ ହିନ୍ଦୁ ଗୋଷ୍ଠୀ। ଏହାକୁ କେନ୍ଦ୍ର କରି ଦୁଇ ସମ୍ପ୍ରଦାୟ ମୁହଁାମୁହିଁ ସ୍ଥିତିରେ ଥିବା ବେଳେ ଏଭଳି ଟିପ୍ପଣୀ ଦେଇଛନ୍ତି ଖଟର।

“ମୁଁ ପୋଲିସ ସହ କଥା ହୋଇଛି। ଏହାର ସମାଧାନ କରାଯିବ। ପୂଜା ସ୍ଥାନରେ ପ୍ରାର୍ଥନା କଲେ ଆମର କୌଣସି ଅସୁବିଧା ନାହିଁ। ସେହି ଉଦ୍ଦେଶ୍ୟରେ ହିଁ ପୂଜାସ୍ଥାନ ନିର୍ମାଣ କରାଯାଇଛି। କିନ୍ତୁ ଏହା ଖୋଲାଖୋଲି କରାଯିବା ଉଚିତ ନୁହେଁ। ଖୋଲା ସ୍ଥାନରେ ନମାଜ ପାଠକୁ ଆମେ ସହିବୁ ନାହିଁ” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସରକାରୀ ଜମିରେ ନମାଜ ପାଠକୁ ଡାହାଣପନ୍ଥୀ ହିନ୍ଦୁ ଗୋଷ୍ଠୀ ପ୍ରବଳ ବିରୋଧ କରୁଛନ୍ତି। ଗତ ମାସରେ ପ୍ରାର୍ଥନା ସ୍ଥଳରେ ଗାଇ ଗୋବର ପଡ଼ିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ମୁସଲମାନମାନଙ୍କ ଶାନ୍ତିପୂର୍ଣ୍ଣ ନମାଜ ପାଠ ବେଳେ ‘ଜୟ ଶ୍ରୀ ରାମ’ ସ୍ଲୋଗାନ ଦିଆଯିବା ଘଟଣା ପ୍ରାୟତଃ ନିୟମିତ ହୋଇଗଲାଣି।

ଅକ୍ଟୋବରରେ ସେକ୍ଟର ୧୨-ଏ’ରେ କିଛି ସ୍ଥାନୀୟ ଲୋକେ ନିଜକୁ ଡାହାଣପନ୍ଥୀ ସଂଗଠନ ଦର୍ଶାଇ ମୁସଲମାନମାନଙ୍କ ପ୍ରାର୍ଥନାରେ ବ୍ୟାଘାତ ଦେଇଥିଲେ। ଏ ଘଟଣାରେ ୩୦ ଜଣ ଆନ୍ଦୋଳନକାରୀଙ୍କୁ ଅଟକ ରଖାଯାଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଗୁରଗାଓଁ ପ୍ରଶାସନ ନଭେମ୍ବର ୨ରେ କହିଥିଲେ ଯେ, ପୂର୍ବ ଚୁକ୍ତିନାମାରେ ସ୍ଥାନ ପାଇଥିବା ୩୭ଟି ସ୍ଥାନରୁ ୮ଟି ଜାଗାରେ ପ୍ରାର୍ଥନା ହୋଇପାରିବ ନାହିଁ। କାରଣ ସ୍ଥାନୀୟ ଲୋକଙ୍କ ପ୍ରଶ୍ନ ଉଠାଇବା ପରେ ସେହି ସ୍ଥାନ ପାଇଁ ମିଳିଥିବା ଅନୁମତିକୁ ବାତିଲ କରି ଦିଆଯାଇଛି।

Share