ବାରିପଦା ଅଫିସ,୨୩।୯: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଧୀନ ଛାଞ୍ଚ ବିଦ୍ୟୁତ୍ ସେକ୍ସନ କାର୍ଯ୍ୟାଳୟରେ ବୁଧବାର ୪୦ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ପଶି କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହେଉଛି। ଆକ୍ରମଣରେ ୭ ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି। ସମସ୍ତେ ପିଆରଏମ୍ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସୂଚନା ମୁତାବକ ବିଶ୍ବକର୍ମାଙ୍କ ବିସର୍ଜନ ସମୟରେ ପୂର୍ବ ଆକ୍ରୋଶକୁ ନେଇ ସ୍ଥାନୀୟ ଯୁବକଙ୍କ ସହ ବିଦ୍ୟୁତ୍ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବିସର୍ଜନ ସାରି ସମସ୍ତେ କାର୍ଯ୍ୟାଳୟକୁ ଫେରିବା ପରେ ବିଳମ୍ବିତ ରାତିରେ ୪୦ରୁ ଊର୍ଦ୍ଧ୍ୱ ଯୁବକ ଲୁହା ଛଡ଼, ହକି ଷ୍ଟିକ୍ ଆଦି ମାରଣାସ୍ତ୍ର ଧରି କାର୍ଯ୍ୟାଳୟ ମଧ୍ୟରେ ପଶି ଆକ୍ରମଣ କରିଥିଲେ। ଏ ନେଇ ବିଦ୍ୟୁତ୍ କର୍ମଚାରୀ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଆକ୍ରମଣକାରୀଙ୍କ ପକ୍ଷରୁ ମଧ୍ୟ ଜଣେ ମହିଳା ପ୍ରଥମେ ଥାନାରେ ଏତଲା ଦେଇଥିବାରୁ ପୋଲିସ ପୃଥକ ମାମଲା ରୁଜୁ କରି ତଦନ୍ତ କରୁଛି।