Advertisement

ଓଡ଼ଗାଁ ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୂତକୋଠି

ଓଡ଼ଗାଁ,୭ା୮(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁ ଏନଏସି ଅଧୀନ ଜାରିଙ୍ଗି ମୌଜାରେ ରହିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୁତକୋଠିରେ ପରିଣତ ହୋଇଛି। ପାଖରୁ ଦେଖିଲେ ଏହା ଏକ ଗ୍ରାମ୍ୟ ଜଙ୍ଗଲ ଭିତରେ ରହିଥିବା ଭ୍ରମ ସୃଷ୍ଟି କରୁଛି। ପୂର୍ବରୁ ଭଡ଼ା ଘରେ ଚାଲୁଥିବା ଏହି କାର୍ଯ୍ୟାଳୟ ନିମନ୍ତେ ସରକାରୀ ଅନୁଦାନ ବିନିଯୋଗ କରାଯାଇ ନୂତନ କୋଠା ନିର୍ମାଣ କରାଯାଇଥିଲା। ୨୦୧୩ ଜୁଲାଇ ୧୨ରେ ନୟାଗଡ଼ ବିଧାୟକ ତଥା ତତ୍କାଳୀନ ଶକ୍ତି, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଅରୁଣ କୁମାର ସାହୁ ଉକ୍ତ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସେହି କାର୍ଯ୍ୟାଳୟ ବ୍ୟବହାର ନ ହୋଇ ପଡ଼ି ରହିଛି। ଏଯାବତ୍‌ ଏହି ଅଫିସକୁ ବିଦ୍ୟୁତ୍‌ ସଂଯୋଗ ହୋଇ ନାହିଁ। ବେଆଇନ ଭାବେ ସାମନା ଘରୁ ବିଦ୍ୟୁତ୍‌ ତାର ଟଣାଯାଇଥିବା ଦେଖିବାକୁ ମିଳିଛି। ଦୀର୍ଘଦିନ ଧରି ବ୍ୟବହାର ନ ହେବାରୁ ନୂତନ କୋଠା ଚାରିପାଖରେ ଅନାବନା ଗଛ ଉଠି ଜଙ୍ଗଲର ଭ୍ରମ ସୃଷ୍ଟି କରିଛି। ଅନ୍ଧକାରର ସୁଯୋଗ ନେଇ କେତେଜଣ ବ୍ୟକ୍ତି ସେଠାରେ ଜୁଆ ଖେଳୁଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ବିଭାଗୀୟ ସହକାରୀ ଯନ୍ତ୍ରୀ ସଞ୍ଜୀବ ରଥଙ୍କୁ ଯୋଗାଯୋଗ କରାଯାଇଥିଲା। ଅଫିସ ରକ୍ଷଣାବେକ୍ଷଣ ପାଇଁ ଗୋଟିଏ ହେଲେ ଟଙ୍କା ସରକାରଙ୍କ ତରଫରୁ ଆସୁନାହିଁ। ସେଥିପାଇଁ ମୁଁ ବାଧ୍ୟ ହୋଇ ନୟାଗଡ଼ରେ ରହି ସେଠାରୁ କାମ ସମ୍ପାଦନ କରୁଥିବା କହିଛନ୍ତି। ଏନେଇ ସେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଆଲୋଚନା କରି ଅଫିସକୁ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ କରିବି ବୋଲି ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share