ସରକାରଙ୍କ ନିୟନ୍ତ୍ରଣରେ ନାହାନ୍ତି ଅଫିସର: ବିଜେଡି

ଭୁବନେଶ୍ୱର,୨୪।୮(ଅନିଲ ଦାସ): ଚିକିଟି ମଦମୃତ୍ୟୁକୁ ନେଇ ଶୁକ୍ରବାର ବିଧାନସଭା ଶୂନ୍ୟକାଳରେ ବିରୋଧୀ ଓ ଶାସକ ଦଳ ସଭ୍ୟମାନେ ମୁହାଁମୁହିଁ ହୋଇଥିଲେ। ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ବାଚସ୍ପତି ବିଜେଡି ସଭ୍ୟ ବ୍ୟୋମକେଶ ରାୟଙ୍କୁ କହିବାକୁ ଅନୁମତି ଦେଇଥିଲେ। ସେ କହିଥିଲେ, ଭାଜପା ସରକାର ଗଢ଼ିବା ପୂର୍ବରୁ କହି ଆସୁଥିଲା ରାଜ୍ୟକୁ ମଦମୁକ୍ତ କରାଯିବ ।
ଜଣେ କ୍ୟାବିନେଟ୍‌ ମନ୍ତ୍ରୀ କହିଲେ, ଅଗଷ୍ଟ ୧୫ସୁଦ୍ଧା ଓଡ଼ିଶା ମଦମୁକ୍ତ ହେବ। ଅବକାରୀ ମନ୍ତ୍ରୀ କହିଲେ, ଚୋରା ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ କରାଯିବ। ସରକାରଙ୍କର କୌଣସି ବିଭାଗ କିମ୍ବା ଅଫିସରଙ୍କ ଉପରେ ନିୟନ୍ତ୍ରଣ ନାହିଁ। ସରକାରଙ୍କ ହାଲ୍‌କା ମନ୍ତବ୍ୟ ଯୋଗୁ ରାଜ୍ୟରେ ବେଆଇନ ମଦ କାରବାର ବଢ଼ିଛି। ମଦମୃତ୍ୟୁ ଘଟଣାରେ ପୂର୍ବତନ ଅବକାରୀ ମନ୍ତ୍ରୀ କାଳନ୍ଦୀ ବେହେରା ଏବଂ ଏ.ୟୁ. ସିଂଦେଓ ଇସ୍ତଫା ଦେଇଥିଲେ। ଅବକାରୀ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଦରକାର। ସରକାର ନ ଚେତିଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ସେ ଚେତାବନୀ ଦେଇଛନ୍ତି।
ସଦସ୍ୟ ଟଙ୍କଧର ତ୍ରିପାଠୀ କହିଛନ୍ତି, ଯେଉଁମାନେ ୨୪ ବର୍ଷ ଧରି ଶାସନରେ ରହିଲେ, ବିରୋଧୀ ଦଳର ଭୂମିକା ଶିଖିଲେ ନାହିଁ। ମହିଳା ସଶକ୍ତୀକରଣ କଥା କହୁଥିଲେ। ଜଣେ ମହିଳା ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ି ଯେଉଁଭଳି ଆଚରଣ ଦେଖାଇଲେ ତାହା କ’ଣ ମାଆକୁ ସମ୍ମାନ। ବିରୋଧୀ ଦଳ ନେତା କ’ଣ ଏଇଆ ଶିଖାଇଛନ୍ତି। ବିରୋଧୀ ଆଲୋଚନା ପାଇଁ ଆସନ୍ତୁ ବୋଲି ସେ କହିଛନ୍ତି।
ସଦସ୍ୟ ଧ୍ରୁବ ସାହୁ କହିଲେ, ସମଗ୍ର ରାଜ୍ୟ ପାଇଁ ମଦମୃତ୍ୟୁ ଏକ ସମ୍ବେଦନଶୀଳ ଘଟଣା। ଚୋରା ମଦ କାରବାରରେ ଶାସକ ଦଳର ସଦସ୍ୟମାନଙ୍କର ସମ୍ପୃକ୍ତି ରହିଛି। ଏହା କହିବା ମାତ୍ରେ ଶାସକ ଦଳର ସଦସ୍ୟମାନେ କଡ଼ା ବିରୋଧ କରିଥିଲେ। କେଉଁ ବିଧାୟକଙ୍କର ସମ୍ପୃକ୍ତି ରହିଛି ତା’ର ପ୍ରମାଣ ଦିଅନ୍ତୁ । ନଚେତ ଏହାକୁ ଗୃହ ବିବରଣୀରୁ ବାଦ୍‌ ଦିଆଯାଉ ବୋଲି ସେମାନେ ଦାବି କରିଥିଲେ। ଭାଜପା ସଭ୍ୟ ଜୟ ନାରାୟଣ ମିଶ୍ର ଏହା ଉପରେ ଆପତ୍ତି ଉଠାଇ କହିଲେ, ମଦ ମାଫିଆଙ୍କ ସହ କେଉଁ ଶାସକ ଦଳର ନେତାଙ୍କର ସମ୍ପୃକ୍ତି ରହିଛି ତାହା ଏଠାରେ ପ୍ରମାଣିତ କରନ୍ତୁ। ନଚେତ୍‌ ବିବରଣୀରୁ ବାଦ୍‌ ଦିଆଯାଉ ବୋଲି ସେ କହିଥିଲେ। ଭାଜପା ସଭ୍ୟ ସନାତନ ବିଜୁଳି କହିଥିଲେ, ପୂର୍ବ ସରକାର ସମୟରେ ଅଧିକ ମଦ ବିକ୍ରି କଲେ ପୁରସ୍କାର ମିଳୁଥିଲା। ବିଜେଡି ସରକାର ଲୋକଙ୍କୁ ପିଇବା ପାଣି ଯୋଗାଇପାରିଲେ ନାହିଁ । ମଦ ବନ୍ୟା ସୃଷ୍ଟି କରିଛନ୍ତି।
ସଭ୍ୟ ଗୌତମ ବୁଦ୍ଧ ଦାସ କହିଥିଲେ, ଚିକିଟି ମଦମୃତ୍ୟୁ ରାଜ୍ୟ ପାଇଁ ଏକ କଳଙ୍କିତ ଅଧ୍ୟାୟ । ଦୀର୍ଘବର୍ଷ ଧରି ଏହାକୁ ରୋକାଯାଇ ପାରିଥିଲା। ଏବେ ପୁଣି ମଦମୃତ୍ୟୁ ଘଟଣା ଘଟିଛି ।
ଏହି ଘଟଣାରେ ଅବକାରୀ ବିଭାଗ ମଦମାଫିଆଙ୍କ ମଧ୍ୟରେ ସମ୍ପର୍କ ରହିଛି। ଭାଜପା ସଭ୍ୟ ଇରାଶିଷ ଆଚାର୍ଯ୍ୟ କହିଥିଲେ, ଧାନଗାଡ଼ି ଧରାଯିବ, ମାତ୍ର ମଦଗାଡ଼ି ଧରାଯିବ ନାହିଁ। ସମସ୍ତ ବିଧାୟକଙ୍କୁ ମଦ ମାଫିଆଙ୍କ ସହ ସମ୍ପୃକ୍ତି ଅଛି ବୋଲି କହି ନ ଥିବା ଧ୍ରୁବ ସଫେଇ ଦେଇଥିଲେ। ତେବେ ଧ୍ରୁବଙ୍କ ମନ୍ତବ୍ୟକୁ ବାଚସ୍ପତି ଗୃହର ବିବରଣୀରୁ ବାଦ୍‌ ଦେଇଥିଲେ।
ସଭ୍ୟ ତାରାପ୍ରସାଦ ବାହିନୀପତି ଓ ନୀଳମାଧବ ହିକ୍‌କା ଗୁଣପୁର, ବିଷମ କଟକରେ ହୋଇଥିବା ଝାଡ଼ାବାନ୍ତି ପ୍ରସଙ୍ଗ ଉଠାଇଥିଲେ। ସରକାର ତୁରନ୍ତ ଘଟଣା ସ୍ଥଳକୁ ଏକ ଡାକ୍ତରୀ ଟିମ୍‌ ପଠାଇବାକୁ ସେମାନେ ଦାବି କରିଥିଲେ।

Share