ଚୂନ ମାରି ଲୁଟୁଛନ୍ତି ଅଧିକାରୀ, ଠିକାଦାର

ମାଲକାନଗିରି,୧୮।୪ (ଡି.ଏନ.ଏ.): ଖରା ଦିନ ଆସିଲେ ମାଲକାନଗିରି ଜିଲାରେ ଜଳ କଷ୍ଟ ବଢିଥାଏ। ଜିଲାରେ ସବୁ ବର୍ଷ ଜଳ କଷ୍ଟ ଦେଖାଦେଉଥିବା ବେଳେ ଏହା ଦୂର କରିବା ବାହାନରେ ଅଚଳ ପାନୀୟ ଜଳ ପ୍ରକଳ୍ପରେ ଚୂନ ମାରି ଅର୍ଥ ଲୁଟ କରାଯାଉଛି। ମାଲକାନଗିରି ସଦର ମହକୁମା ନିକଟସ୍ଥ ଏମଭି-୩ ଗ୍ରାମରେ ଏପରି ଦେଖିବାକୁ ମିଳିଛି। ଏହି ଗ୍ରାମରେ ପାଇପ ଯୋଗେ ଜଳ ଯୋଗାଣ ଲାଗି ହୋଇଥିବା ପ୍ରକଳ୍ପ ଆରମ୍ଭରୁ ହିଁ ଅଚଳ ହୋଇପଡିଛି। ନିକଟରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜଳକଷ୍ଟ ଦୂର ଆଳରେ ଏହି ଅଚଳ ପ୍ରକଳ୍ପରେ କେବଳ ରଙ୍ଗ ମାରି ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅଧିକାରୀ, ଯନ୍ତ୍ରୀ ଓ ଠିକାଦାର ଲୁଟି ନେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏମଭି-୩ ଗ୍ରାମଠାରୁ କିଛି କିଲୋମିଟର ଦୂରରେ ରହିଛି ଏମଭି ୧୩ ଗ୍ରାମ। ଏଠାରେ ମଧ୍ୟ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଦୀର୍ଘଦିନ ହେଲା ଅଚଳ ହୋଇ ପଡିରହିଛି। ଏଠାରେ ମଧ୍ୟ ପମ୍ପ ହାଉସ ଓ ପାଣି ଟାଙ୍କିରେ ଚୁନ ମାରି ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି। ଜିଲାରେ ଜଳ କଷ୍ଟ ଦୂର ଲାଗି ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଏପରି ପାନୀୟ ଜଳ ପ୍ରକଳ୍ପ କରୁଥିବା ବେଳେ ସ୍ଥାନୀୟ ଅଧିକାରୀ ମାନେ ଏହି ପ୍ରକଳ୍ପଗୁଡିକ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ନ ଦେଇ ଅଚଳ ପ୍ରକଳ୍ପରେ ଚୂନ ମାରି ଟଙ୍କା ହାତେଇବାରେ ଲାଗିଛନ୍ତି। ସୂଚନାଯୋଗ୍ୟ, ମାଲକାନଗିରି ଜିଲାରେ ପାନୀୟ ଜଳ ସମସ୍ୟା ଦୂର ପାଇଁ ସରକାର ୩୬୪ଟି ପାଇପ ଯୋଗେ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି। ସେଥିରୁ ୪୫ଟି ପ୍ରକଳ୍ପ ଅଚଳ ଥିବା ଜଣାପଡିଛି। ଅନେକ ସ୍ଥାନରେ କାର୍ଯ୍ୟକ୍ଷମ ପ୍ରକଳ୍ପଗୁଡିକ ମଧ୍ୟ ଗ୍ରାମବାସୀଙ୍କ ପାନୀୟ ଜଳ ଆବଶ୍ୟକତା ପୂରଣ କରିବାରେ ବିଫଳ ହୋଇଛି। ଏ ସମ୍ପର୍କରେ କୋରକୋଣ୍ଡା ବିଡିଓଙ୍କୁ ପଚାରିବାକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା ।