ବିନା ଅନୁମତିରେ ସଦର ମହକୁମା ଛାଡ଼ିପାରିବେନି ଅଧିକାରୀ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳ ସମସ୍ୟା ଥିବା ଅଞ୍ଚଳଗୁଡ଼ିକରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି। ପାନୀୟଜଳ ପାଇଁ ଲୋକମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେନେଇ ବିଭାଗ ସଜାଗ ରହିଛି। ଦାୟିତ୍ୱରେ ଥିବା ଅଧିକରୀମାନେ ବିନା ଅନୁମତିରେ ସଦର ମହକୁମା ଛାଡ଼ିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ଜେନା ସୂଚନା ଦେଇଛନ୍ତି।
ଏହି ଅବସରରେ ମନ୍ତ୍ରୀ ଜେନା କହିଛନ୍ତି, ରାଜ୍ୟର ଗ୍ରାମାଞ୍ଚଳରେ ଯେଉଁଠି ନଳକୂପ ସମ୍ପୂର୍ଣ୍ଣ ଅଚଳ ହୋଇପଡିଥିବ ସେହିସବୁ ସ୍ଥାନରେ ନୂତନ ନଳକୂପ ସ୍ଥାପନ ନିମନ୍ତେ ନିଷ୍ପତ୍ତି ହୋଇଛି। ଏନେଇ ଜିଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ଜଳକ୍ଳିଷ୍ଟ, ନୂତନ ଭାବେ ଗଢ଼ି ଉଠିଥିବା ପଡ଼ାଗ୍ରାମ ଓ ୭୦ରୁ ଅଧିକ ଜନସଂଖ୍ୟା ପାଇଁ ଏକ ନୂତନ ନଳକୂପ ସ୍ଥାପନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସୌରଚାଳିତ ନଳକୂପଗୁଡିକୁ ୧୫ଦିନ ମଧ୍ୟରେ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ପଞ୍ଚାୟତ, ବ୍ଲକ, ଜିଲାପାଳଙ୍କ କାର୍ଯ୍ୟାଳୟ, ସମସ୍ତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟରେ ମରାମତି, ରକ୍ଷଣାବେକ୍ଷଣ ଓ ତଦାରଖ ପାଇଁ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଆହୁରି ମଧ୍ୟ ପ୍ରତି ଶନିବାର ବ୍ଲକ୍‌ସ୍ତରରେ ଓ ମଙ୍ଗଳବାର ଜିଲାସ୍ତରରେ ସମୀକ୍ଷା କରାଯାଇ ପରିସ୍ଥିତିର ମୁକାବିଲା ପାଇଁ କୁହାଯାଇଛି। ଗ୍ରାମାଞ୍ଚଳରେ ଜଳ ଯୋଗାଣ ସମସ୍ୟା ଜନିତ ଅଭିଯୋଗ ପାଇଁ ଦେୟମୁକ୍ତ ୧୯୧୬ ନମ୍ବରରେ ଅଭିଯୋଗ କରିପାରିବେ। ରାଜ୍ୟର ୧୧୪ଟି ସହରାଞ୍ଚଳ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୯୪ଟି ସହରାଞ୍ଚଳରେ ୬୫୦ଟି ଜଳକ୍ଳିଷ୍ଟ ସ୍ଥାନକୁ ଚିହ୍ନଟ କରାଯାଇଛି। ମୋଟ ୧୨ଲକ୍ଷ ୧୭ ହଜାର ଗୃହ ମଧ୍ୟରୁ ୮,୩୦,୦୦୦ ଗୃହକୁ ପାନୀୟ ଜଳ ସଂଯୋଗ କରାଯାଇଛି। ସହରାଞ୍ଚଳରେ ଥିବା ୩୬୯୩୨ଟି ନଳକୂପକୁ କାର୍ଯ୍ୟକ୍ଷମ ରଖାଯାଇଛି। ଆବଶ୍ୟକ ସ୍ଥଳେ ଜରୁରୀ ମରାମତି କରାଯାଇ ଜଳ ଯୋଗାଣ ଅବ୍ୟାହତ ରଖିବାକୁ ୧୬୧ ଗୋଟି ଭ୍ରାମ୍ୟମାଣ ଦଳ ନିୟୋଜିତ ହୋଇଛନ୍ତି। ୧୫୬ଟି ନିୟନ୍ତ୍ରଣ କକ୍ଷ ଓ ମୋ ସରକାର କେନ୍ଦ୍ର ସ୍ଥାପନ କରାଯାଇ ପାନୀୟଜଳ ସମ୍ପର୍କିିତ ଅଭିଯୋଗ ଗ୍ରହଣ ଓ ୨୪ ଘଣ୍ଟା ମଧ୍ୟରେ ସମାଧାନ ବ୍ୟବସ୍ଥା କରାଯାଇଛି। ଯୋଗାଇ ଦିଆଯାଉଥିବା ପାଣିର ଗୁଣବତ୍ତା ନିୟମିତ ଭାବେ ପରୀକ୍ଷା କରାଯାଉଛି। ୨୬ ସହର ପାଇଁ ବିଭିନ୍ନ ନଦୀରେ ୩୦ କ୍ରସ୍‌ବନ୍ଧ ନିର୍ମାଣ କରାଯାଇ ଗ୍ରୀଷ୍ମ ସମୟରେ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ସହରାଞ୍ଚଳରେ ପାନୀୟ ସମ୍ପର୍କିତ ସମସ୍ୟା ବା ଅଭିଯୋଗ ନିମନ୍ତେ ୧୫୫୩୫୯ ଏବଂ ୧୮୦୦୩୪୫୬୭୮୪୩ ୨ଟି ଦେୟମୁକ୍ତ ଟେଲିଫୋନ ନମ୍ବର ରହିଛି। ଗ୍ରୀଷ୍ମ ପ୍ରବାହ ସମୟରେ ଜଳଯୋଗାଣ କାର୍ଯ୍ୟରେ କୌଣସି ପ୍ରକାର ଅବହେଳାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ମନ୍ତ୍ରୀ ସତର୍କ କରିଛନ୍ତି।

Share