ଅଭିଯୋଗ କଲେ ବି ଶୁଣୁନାହାନ୍ତି ଅଧିକାରୀ

କୋରୁକୋଣ୍ଡା,୨୩ା୭(ଅବିନାଶ ବେହେରା): ଗ୍ରାମାଞ୍ଚଳର ରାସ୍ତାଗୁଡ଼ିକ ଉନ୍ନତିକରଣ କରିବା ପାଇଁ ଉଭୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବହୁ ଅର୍ଥ ବ୍ୟୟ କରୁଥିଲେ ମଧ୍ୟ ଆଜି ବି ବହୁ ଗ୍ରାମ୍ୟ ରାସ୍ତାରେ ଚାଲିବା କଷ୍ଟକର ହୋଇପଡୁଛି। କେଉଁଠି ଛାତ୍ରୀଛାତ୍ର ବିଦ୍ୟାଳୟକୁ ଯିବା ସମୟରେ କାଦୁଅରେ ପଡ଼ି ଘରକୁ ଫେରୁଥିବା ବେଳେ ଆଉ କେଉଁଠି ଗ୍ରାମ ମଧ୍ୟକୁ କୌଣସି କାମରେ ଯାଉଥିବା ଯାନବାହନ କାଦୁଅରେ ଫସି ରହୁଥିବାର ଦେଖିବାକୁ ମିଳୁଛି।

ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତ ବୁଦୁଗୁଡ଼ା ଗ୍ରାମକୁ ଯିବା ରାସ୍ତା ଶୋଚନୀୟ ହୋଇପଡ଼ିଥିଲେ ମଧ୍ୟ ଅଭିଯୋଗ କଲେ ବି ଅଧିକାରୀ ଶୁଣୁ ନ ଥିବା ଗ୍ରାମବାସୀ କହିଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ଆରଡି ରାସ୍ତାଠାରୁ ବୁଦୁଗୁଡାକୁ ସଂଯୋଗ କରୁ ଥିବା ରାସ୍ତା ଉନ୍ନତି କରଣ ନିମନ୍ତେ ସ୍ବତନ୍ତ୍ର ବିକାଶପାଣ୍ଠି ମାଧ୍ୟମରେ ୫ ଲକ୍ଷ ଟଙ୍କା ଅନୁଦାନରେ ରାସ୍ତାର କିଛି ଅଂଶ ମୋରମ ପକାଇ ଦିଆଯାଇଥିଲା। ଗ୍ରାମବାସୀଙ୍କ କହିବା ଅନୁସାରେ ଉକ୍ତ ରାସ୍ତାରେ ଖରା ଦିନରେ ଯିବା ଆସିବା ସମ୍ଭବ ହେଉ ଥିବା ବେଳେ ପ୍ରତେକ ବର୍ଷ ବର୍ଷାଦିନ ଆସିଲେ ଗ୍ରାମ ବାସୀଙ୍କ ଦୁଃଖ ବଢ଼ିଯାଏ। ତୁରନ୍ତ ଏହି ରାସ୍ତା ମରାମତି କରା ନ ଗଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Share