ବାହାନଗା,୬।୧(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ଉପଡାକଘର ନୂତନ ଗୃହ ନିର୍ମାଣ ଦୀର୍ଘଦିନ ପରେ ନିଜସ୍ବ ଜମିରେ ଆରମ୍ଭ ହୋଇଛି। ନୂତନ ପକ୍କାଘର ତଦାରଖ କରିବା ପାଇଁ ବିଭାଗୀୟ ନିର୍ବାହୀଯନ୍ତ୍ରୀ କିମ୍ବା କନିଷ୍ଠଯନ୍ତ୍ରୀ କେହି ଆସୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଘର ନିର୍ମାଣ ଲାଗି କେତେ ଟଙ୍କା ବ୍ୟୟବରାଦ ହୋଇଛି ତାହାକୁ ନେଇ ଲୋକଙ୍କୁ ଅନ୍ଧାରରେ ରଖାଯାଇ କାମ ଆଗେଇ ଚାଲିଛି।
ଉପଡାକଘର ନିର୍ମାଣ ଓ ବିଭାଗ ନାମରେ ଥିବା ବଜାର ଉପରେ ମୂଲ୍ୟବାନ ଜମିକୁ ଦୋକାନୀମାନେ ଜବରଦଖଲ କରି ରଖିଥିବା ନେଇ ଧରିତ୍ରୀରେ ୨୦୧୨ ଜୁଲାଇ ୧୦ତାରିଖରେ ‘ଉପଡାକଘର ଜମି ଉପରେ ଦୋକାନ ଘର’ ଶୀର୍ଷକ ଖବର ପ୍ରକାଶ ପାଇଥିଲା ା ପରେ ୨୦୧୫ ଅକ୍ଟୋବର ୩୧ତାରିଖରେ ଉପଡାକ ଘର ଜମି ଜବରଦଖଲ ନାମକ ଆଉ ଏକ ଖବର ପ୍ରକାଶ ପାଇଥିଲା। ପୁନର୍ବାର ୨୦୧୭ ସେପ୍ଟେମ୍ବର ୩ତାରିଖରେ ଜବରଦଖଲରେ ଉପଡାକଘର ନାମକ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଲଗାତର ଭାବେ ଧରିତ୍ରୀ ଏହି ଖବରକୁ ପ୍ରକାଶ କରିବା ପରେ ଡାକ ବିଭାଗୀୟ ମୁଖ୍ୟ ଗୋପାଳପୁରକୁ ପରିଦର୍ଶନରେ ଆସି ଜମି ଜବରଦଖଲ ହୋଇଥିବା ତଦାରଖ କରିଥିଲେ। କିଛିବର୍ଷ ପରେ ବିଭାଗୀୟ ଅଧିକାରୀମାନଙ୍କ ଦ୍ୱାରା ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଏବେ ସେ ମୂଲ୍ୟବାନ ୫ ଡିସିମିଲି ଜମି ଉପରେ ଡାକ ବିଭାଗ ପକ୍ଷରୁ ଘର ନିର୍ମାଣ ପାଇଁ ବୋରିଂ କରାଯିବା ସହ ପିଲାର ଉଠାଯିବା କାମ ଆଗେଇ ଚାଲିଛି। ଘର କାମ ପାଇଁ କେତେ ଟଙ୍କା ଡାକ ବିଭାଗ ତରଫରୁ ବ୍ୟୟବରାଦ ହୋଇଛି ତାହା ଅଞ୍ଚଳବାସୀ ଓ ଗୋପାଳପୁର ଉପଡାକ ବିଭାଗ ଅଧିକାରୀଙ୍କୁ ଜଣାନାହିଁ। ଯେଉଁ କାମ ଆରମ୍ଭ ହୋଇଛି ପିଲାର ପାଇଁ କେତେ ଫୁଟ ବୋରିଂ ହୋଇଛି ଠିକ୍ ସେ କାମ ହେଉଛି କି ନାହିଁ ତାହା ତଦାରଖ କରିବା ପାଇଁ ବିଭାଗୀୟ ଯନ୍ତ୍ରୀମାନେ ଆସୁ ନ ଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟ ବିଜୟ ଦାସ କହନ୍ତି ଆମ ପାଖରେ କିଛି ନାହିଁ ା କେତେ ଟଙ୍କା କ’ଣ ଆମେ କହିପାରିବୁ ନାହିଁ, ଭୁବନେଶ୍ୱରରେ ଟେଣ୍ଡର ହୁଏ ସେଠାରୁ ଠିକାଦାର ଆସନ୍ତି ଏଠାରେ ଆମେ କେବଳ ଘର ନିର୍ମାଣ ପାଇଁ ଜମି ଚିହ୍ନଟ କରାଇଥାଉ। ଭୁବନେଶ୍ୱର ଡାକ ବିଭାଗର ଅତିରିକ୍ତ ନିର୍ବାହୀଯନ୍ତ୍ରୀ ଓ କନିଷ୍ଠଯନ୍ତ୍ରୀ ଆସି କାମ ତଦାରଖ କରନ୍ତି। ସାମାଜିକ କର୍ମୀ ତଥା ସ୍ବଚ୍ଛ ଭାରତ ଅଭିଯାନର ଆବାହକ ସୁଦର୍ଶନ ମହାପାତ୍ର କୁହନ୍ତି, ଉପଡାକଘର ନିଜସ୍ବ ଗୃହ ନିର୍ମାଣ ଲାଗି ସୁପରିଣ୍ଟେଣ୍ଡେଣ୍ଟ ଓ ଭଦ୍ରକ ଏମ୍ପିଙ୍କୁ ଦାବିପତ୍ର ପ୍ରଦାନ କରିଥିଲୁ। ଦୀର୍ଘଦିନ ପରେ ପୋଷ୍ଟାଲ ଘର ନିଜସ୍ବ ଜମିରେ ହେଉଥିଲେ ମଧ୍ୟ କେତେ ଟଙ୍କାର ଘର ନିର୍ମାଣ ଓ କେତୋଟି ଘର ହେଉଛି ଆମେ ଜାଣିପାରୁନାହୁଁ ତାହା ବିଡମ୍ବନାର ବିଷୟ। ଏଠାରେ ନାମଫଳକ ମରାଯାଉ ନ ଥିବାରୁ ନିମ୍ନମାନର କାମ ହେଉଥିବା ଅଭିଯୋଗ ହେଉଛି।