ସରକାରୀ କଟକଣା ମାନୁନାହାନ୍ତି ଅଧିକାରୀ

ଓଡ଼ଗାଁ,୨୧ା୪ (ଆଦର୍ଶ କୁମାର ପଟ୍ଟନାୟକ)ସକାଳ ୮ଟାରୁ ପ୍ରଚଣ୍ତ ଖରାରେ ସିଝୁଛି ସାରା ଓଡ଼ିଶା। ଏଥିରୁ ନୟାଗଡ଼ ଜିଲା ଓଡ଼ଗାଁ ବାଦ ଯାଇନି। ଏପଟେ ରାଜ୍ୟ ସରକାର ସମସ୍ତ ସ୍କୁଲ, କଲେଜକୁ ଛୁଟି ଘୋଷଣା କରିଥିବା ବେଳେ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଶ୍ରମିକମାନେ କାର୍ଯ୍ୟ ନ କରିବା ଉପରେ କଟକଣା ଜାରି କରିଛନ୍ତି। ହେଲେ ଅଧିକାଂଶ ସ୍ଥାନରେ ସରକାରଙ୍କ ଏହି କଟକଣାକୁ ଅବମାନନା କରାଯାଉଛି। ପ୍ରଚଣ୍ଡ ଖରାରେ ମହିଳାମାନଙ୍କୁ ନେଇ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଶୁକ୍ରବାର ମଧ୍ୟାହ୍ନ ସାଢେ ୧୨ଟାରେ ୧୧ଜଣ ମହିଳା ଖେଳ ପଡ଼ିଆରୁ ଘାସ ବାଛୁଥିବା ଦେଖିବାକୁ ମିଳିଥିଲା। ଗତ କିଛିଦିନ ତଳେ ଓଡ଼ଗାଁ ଏନଏସି ନୂତନ କାର୍ଯ୍ୟାଳୟ ଛାତ ଉପରେ ଶ୍ରମିକମାନେ କାମ କରୁଥିବା ବେଳେ ଶୁକ୍ରବାର କଲେଜ କାମରେ ମହିଳାଙ୍କୁ ଲଗାଇବା ସରକାରଙ୍କ କଟକଣାକୁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବାରମ୍ବାର ଶ୍ରମିକମାନଙ୍କୁ ନେଇ କାର୍ଯ୍ୟ କରୁଥିବା ଠିକାଦାର ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଏପଟେ ସରକାରଙ୍କ ଏହି ଘୋଷଣା କେବଳ କାଗଜକଲମରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଖରାରୁ ନିସ୍ତାର ନ ଥିବା ବେଳେ ମହିଳାଙ୍କୁ କାର୍ଯ୍ୟରେ ଲଗାଇବା ପଛରେ କାହାରି ହାତ ରହିଛି, ଏହାର ତଦନ୍ତ ପାଇଁ ଦାବି ହୋଇଛି। ଏହି ଘଟଣାରେ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ଓ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକଙ୍କୁ ପଚାରିବାରେ ଦିନ ୧୧ ପରେ ବାହାରେ କାମ କରିବାକୁ କଟକଣା କରାଯାଇଛି। ଏଥିରେ ଯଦି ବ୍ୟତିକ୍ରମ କରାଯାଉଛି ତା’ର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଭୟ କହିଛନ୍ତି।

Share