ନୂଆଦିଲ୍ଲୀ: ରୁପେ କାର୍ଡଧାରୀଙ୍କ ଲାଗି ଖୁସି ଖବର। ଏବେ ବିନା ଇଣ୍ଟରନେଟରେ ମଧ୍ୟ ଲୋକମାନେ ଏହି କାର୍ଡ ଦ୍ୱାରା ପେମେଣ୍ଟ କରିବାର ସୁବିଧା ପାଇପାରିବେ। ନ୍ୟାଶନାଲ ପେମେଣ୍ଟସ କର୍ପୋରେଶନ ଅଫ୍ ଇଣ୍ଡିଆ(ଏନ୍ପିସିଆଇ) କହିଛି, ରୁପେ କଣ୍ଟାକ୍ଟଲେସ କାର୍ଡରେ ଅଫ୍ଲାଇନ ପେମେଣ୍ଟ ଲାଗି ନୂଆ ଫିଚର ଯୋଡାଯିବାକୁ ନିଷ୍ପତ୍ତି ହୋଇଛି। ଏହାକୁ ବର୍ତ୍ତମାନ ପାଇଲଟ ଭିତ୍ତିରେ ଆରମ୍ଭ କରାଯାଇଛି। ଟ୍ରାଞ୍ଜାକଶନ ଲାଗି ପଏଣ୍ଟ ଅଫ୍ ସେଲ(ପିଓଏସ୍) ରହିବା ଜରୁରୀ ବୋଲି ଏହା ସ୍ପଷ୍ଟ କରିଛି। ରିଲୋଡେବଲ ରୁପେ ଏନ୍ସିଏମ୍ସି କାର୍ଡ ସହିତ ଲୋକଙ୍କୁ ନେଣଦେଣ କରିବା ସହଜ ହେବ। କାରଣ ନେଟ୍ଓ୍ବର୍କ ମନ୍ଥର ରହିଥିଲେ ମଧ୍ୟ ସହଜ ଏବଂ ତ୍ୱରିତ ଭାବେ ଟ୍ରାଞ୍ଜାକଶନ କରାଯାଇ ପାରିବ। ଏହି ଫିଚର କାର୍ଡ ଧାରକଙ୍କ ଲାଗି ବହୁତ ଖାସ୍ ହେବ ବୋଲି ରିଟେଲ ପେମେଣ୍ଟ ନେଟ୍ଓ୍ବର୍କ ପକ୍ଷରୁ ଆଶା କରାଯାଇଛି। ଏଥିରେ ମେଟ୍ରୋ ଟିକେଟ, ବସ୍ ଟିକେଟ ଏବଂ କ୍ୟାବ ଟିକେଟ ଭଳି ପେମେଣ୍ଟକୁ ମଧ୍ୟ ସାମିଲ କରାଯାଇଛି। ଏହା ସାଧାରଣ ନେଣଦେଣ ଠାରୁ ବହୁ ତ୍ୱରିତ ଭାବେ କାମ କରିଥାଏ ବୋଲି କୁହାଯାଉଛି। ଏନ୍ପିସିଆଇ ମୁଖ୍ୟ ନଳିନୀ ବଂଶଲ କହିଛନ୍ତି, ଏଭଳି ସୁବିଧା କ୍ୟାଶଲେସ ଅର୍ଥ ବ୍ୟବସ୍ଥାକୁ ଆଗକୁ ନେବାରେ ସହାୟତା କରିବ। ଏହି ସେବାକୁ ରିଜର୍ଭ ବ୍ୟାଙ୍କ କିଛି ଦିନ ଆଗରୁ ମଞ୍ଜୁରୀ ପ୍ରଦାନ କରିଥିଲା। କେବଳ କ୍ଷୁଦ୍ର ନେଣଦେଣ ଲାଗି ଏହା ଉପଲବ୍ଧ ହେବ। ଏହା ଅନ୍ଲାଇନ ପେମେଣ୍ଟ ମୋଡ୍ଠାରୁ ଭିନ୍ନ।