୨୦ ଓଏଫ୍‌ଏସ୍‌ ଅଫିସରଙ୍କୁ ଆଇଏଫ୍‌ଏସ୍‌ ପାହ୍ୟା

ଭୁବନେଶ୍ୱର, ୬।୨(ବ୍ୟୁରୋ): ରାଜ୍ୟର ମୋଟ ୨୦ଜଣ ଓଏଫ୍‌ଏସ୍‌ (ଓଡ଼ିଶା ବନ ସେବା) ଅଫିସରଙ୍କୁ ଆଇଏଫ୍‌ଏସ୍‌ (ଭାରତୀୟ ବନ ସେବା) ପାହ୍ୟାକୁ ପଦୋନ୍ନତି ମିଳିଛି।
ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏହି ପଦୋନ୍ନତି ତାଲିକା ପ୍ରକାଶ ପାଇଛି। ୟୁପିଏସ୍‌ସି ଦ୍ୱାରା ଏହି ପଦୋନ୍ନତି ମିଳିଛି। ଏମାନଙ୍କୁ ଖୁବ୍‌ଶୀଘ୍ର ରାଜ୍ୟ ସରକାରଙ୍କ ତରଫରୁ କଞ୍ଜରଭେଟର୍‌ ଅଫ୍‌ ଫରେଷ୍ଟ ପଦବୀରେ ଅବସ୍ଥାପିତ କରାଯିବ। ତେବେ ପଦୋନ୍ନତି ପାଇଥିବା ୨୦ଜଣଙ୍କ ମଧ୍ୟରୁ ଦୁଇଜଣ ଅବସର ନେଇସାରିଥିବା ଜଣାପଡିଛି।
୨୦୧୫ ତାଲିକାରେ ୧୮ଜଣ ଅଧିକାରୀଙ୍କୁ ପଦୋନ୍ନତି ମିଳିଥିବାବେଳେ ୪ଜଣଙ୍କ ନାମରେ ଅଫିସିଆଲ ପ୍ରୋସିଡିଂ ଥିବାରୁ କ୍ଲିୟରାନ୍ସ ପାଇବା ପର୍ଯ୍ୟନ୍ତ ସେମାନଙ୍କ ପଦୋନ୍ନତିକୁ ସ୍ଥଗିତ ରଖାଯାଇଛି। ଯେଉଁ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର ଆପରାଧିକ କାର୍ଯ୍ୟାନୁଷ୍ଠାନ କିମ୍ବା ଅନୁଶାସନିକ କାର୍ଯ୍ୟାନୁଷ୍ଠାନ ନେଇଥିଲେ, ସେମାନଙ୍କ ପଦୋନ୍ନତି ସ୍ଥଗିତ ରହିଛି। ୨୦୧୬ରେ ପଦୋନ୍ନତି ପାଇଥିବା ଦୁଇଜଣଙ୍କ ନାମରେ ଅଫିସିଆଲ ପ୍ରୋସିଡିଂ ଥିବାରୁ ପଦୋନ୍ନତିକୁ ସ୍ଥଗିତ ରଖାଯାଇଛି। ସେହିପରି ୨୦୧୭ ତାଲିକାରେ ୫ଜଣ ଅଧିକାରୀଙ୍କୁ ପଦୋନ୍ନତି ମିଳିଥିବାବେଳେ ୨୦୧୮ରେ ମାତ୍ର ଜଣେ ଅଧିକାରୀ ପଦୋନ୍ନତି ପାଇଛନ୍ତି। ନୂଆ ପଦୋନ୍ନତି ପାଇଥିବା ଡିଏଫ୍‌ଓଙ୍କ ମଧ୍ୟରେ ଅନୁଗୋଳ ଡିଏଫ୍‌ଓ ପ୍ରସନ୍ନ କୁମାର ବେହେରା, ରାଜନଗର ବନ୍ୟପ୍ରାଣୀ ଡିଏଫ୍‌ଓ ବିକାଶ ରଞ୍ଜନ ଦାସ, ମହାନଦୀ ବନ୍ୟପ୍ରାଣୀ ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତା ପ୍ରମୁଖ ରହିଛନ୍ତି।

Share