
ବରଗଡ଼,୨୯।୧(ପ୍ରେମାନନ୍ଦଖମାରୀ): ବରଗଡ଼ ଜିଲା ଦହିତା ସ୍ଥିତ ବଲାଙ୍ଗିର ଆଞ୍ଚଳିକ ଗ୍ରାମ୍ୟବ୍ୟାଙ୍କ (ବିଏଜିବି)ର ପୂର୍ବତନ ଶାଖା ପରିଚାଳକ କ୍ଷୀରୋଦ କୁମାର ଷଡ଼ଙ୍ଗୀଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଛି।
ଏକ ଲାଞ୍ଚ ମାମଲାର ଶୁଣାଣି କରି ବରଗଡ଼ ଭିଜିଲାନ୍ସ କୋର୍ଟର ସ୍ପେଶାଲ ଜଜ୍(ସ୍ବତନ୍ତ୍ର ବିଚାରପତି) ଷଡ଼ଙ୍ଗୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଏହି ରାୟ ଦେଇଛନ୍ତି।
ଶାଖା ପରିଚାଳକ ଷଡ଼ଙ୍ଗୀ ତାଙ୍କ କାର୍ଯ୍ୟକାଳ ସମୟରେ ଫୁଲମତୀପୁର ଗ୍ରାମର ଜଣେ ଚାଷୀ ଗୁଣସାଗର ମେହେରଙ୍କୁ କୃଷି ଋଣ ଦେବା ପାଇଁ ଲାଞ୍ଚ ନେବା ସମୟରେ ଧରାପଡ଼ିଥିଲେ।
ତାଙ୍କ ପେନସନ ମଧ୍ୟ ବନ୍ଦ କରିବା ପାଇଁ ଭିଜିଲାନ୍ସ ସମ୍ପୃକ୍ତ ବିଭାଗକୁ ଅବଗତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି।
ସମ୍ବଲପୁର ଡିଭିଜନ ଭିଜିଲାନ୍ସର ପୂର୍ବତନ ଇନ୍ସପେକ୍ଟର ଜଗନ୍ନାଥ ନାଏକ ଏହି ମାମଲାର ତଦନ୍ତ କରିଥିଲେ।ଭିଜିଲାନ୍ସର ସ୍ପେଶାଲ ପି.ପି ଶୋଭନ ଆନନ୍ଦ ଗୁରୁ ଏହି ମାମଲାର ପରିଚାଳନା କରୁଥିଲେ।