କରୋନା ବ୍ୟାପିବା ଘଟଣା: ଜେଲ ବିଭାଗକୁ ଓଏଚ୍‌ଆର୍‌ସିଙ୍କ ନୋଟିସ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜେଲ୍‌ରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ନିକଟରେ ବ୍ରହ୍ମପୁର ଜେଲ୍‌ରେ ୩୩ କଏଦୀ ଓ ଜେଲରଙ୍କ ସମେତ ୧୦ଜଣ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହେବା ପରେ କଏଦୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏ ସଂକ୍ରାନ୍ତ ଏକ ପିଟିଶନର ଶୁଣାଣି କରି ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି) ସ୍ବାସ୍ଥ୍ୟ ବିଭାଗ, ଗୃହ ବିଭାଗ ଓ ଜେଲ ବିଭାଗକୁ ନୋଟିସ କରିଛନ୍ତି। କଏଦୀଙ୍କ ସୁରକ୍ଷା ପାଇଁ କ’ଣ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି ଓ ଜେଲ୍‌ ରହୁଥିବା ଶିଶୁଙ୍କ କେୟାର ହୋମ୍‌ ସଂକ୍ରାନ୍ତରେ ଅଗଷ୍ଟ ୨୮ ସୁଦ୍ଧା ଜଣାଇବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଜେଲ୍‌ କର୍ମଚାରୀଙ୍କୁ ପିପିଇ କିଟ୍‌ ଦିଆଯାଇଛି କି ନାହିଁ, କଏଦୀ ଓ କର୍ମଚାରୀଙ୍କ କୋଭିଡ୍‌ ପରୀକ୍ଷା ନେଇ ସମସ୍ତ ତଥ୍ୟ ଦାଖଲ କରିବାକୁ କୁହାଯାଇଛି। ସୂଚନାଯୋଗ୍ୟ, ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) କଏଦୀଙ୍କ ସୁରକ୍ଷା ପାଇଁ ଦେଶର ସମସ୍ତ ଜେଲ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ରାଜ୍ୟ ଜେଲ ବିଭାଗ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରି ନ ଥିବାରୁ ମାନବିକ ଅଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ ଓଏଚ୍‌ଆର୍‌ସିଙ୍କ ନିକଟରେ ଏହି ଅଭିଯୋଗ କରିଥିଲେ।

Share