Categories: ଜାତୀୟ

୭ ବର୍ଷର ରେକର୍ଡ ଭାଙ୍ଗିଲା ତେଲ

ନୂଆଦିଲ୍ଲୀ,୨୩ା୨: କୋଭିଡ୍‌ ମହାମାରୀ ଯୋଗୁ ଭୁଶୁଡ଼ିପଡ଼ିଥିବା ବିଶ୍ୱ ଅର୍ଥନୀତି ଅଣ୍ଟା ସଳଖି ଛିଡ଼ା ହେବାକୁ ଉଦ୍ୟମ କରୁଥିବାବେଳେ ରୁଷିଆର ଜିଦ୍‌ଖୋର ମନୋବୃତ୍ତି ଆଉ ଏକ ବିପତ୍ତିକୁ ଡାକି ଆଣିଛି। ରୁଷିଆ-ୟୁକ୍ରେନ୍‌ ମୁହାଁମୁହିଁ  ସ୍ଥିତି ମଧ୍ୟରେ ବିଶ୍ୱରେ ତେଲ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବା ଆଶଙ୍କା ସୃଷ୍ଟି ହୋଇଥିବାରୁ ଏହାର ଦର ଆକାଶଛୁଅଁ। ହୋଇଛି। ଅନ୍ତର୍ଜାତୀୟ ବଜାରରେ ମଙ୍ଗଳବାର ବ୍ରେଣ୍ଟ ଅଶୋଧିତ ତେଲର ମୂଲ୍ୟ ୭ ବର୍ଷର ରେକର୍ଡ ଭାଙ୍ଗି ବ୍ୟାରେଲ ପିଛା ୯୮ ଡଲାରରେ ପହଞ୍ଚତ୍ଛି। ବ୍ରିଟେନ ଓ ପାଶ୍ଚାତ୍ୟର ଅନେକ ସହଯୋଗୀ ରାଷ୍ଟ୍ର ରୁଷିଆ ଉପରେ କଟକଣା ଜାରି ପାଇଁ ଚେତାବନୀ ଦେଲେଣି। ତେଣୁ ବିଶ୍ୱ ଅର୍ଥନୀତି ଦୁର୍ବଳ ହେବା ଆଶଙ୍କା ଦେଖାଦେଲାଣି।
ପ୍ରାକୃତିକ ଗ୍ୟାସ୍‌ ଉତ୍ପାଦନ କ୍ଷେତ୍ରରେ ରୁଷିଆ ହେଉଛି ବିଶ୍ୱରେ ପ୍ରଥମ। ସେହିପରି ସାଉଦି ଆରବ ପରେ ଏହା ଦ୍ୱିତୀୟ ବୃହତ୍‌ ତୈଳ ରପ୍ତାନୀକାରୀ ରାଷ୍ଟ୍ର। ୟୁରୋପର ଏକ-ତୃତୀୟାଂଶ ପ୍ରାକୃତିକ ଗ୍ୟାସ୍‌ ଏବଂ ବିଶ୍ୱର ପ୍ରାୟ ୧୦% ତେଲ ଚାହିଦା ରୁଷିଆ ପୂରଣ କରିଥାଏ। ୟୁରୋପକୁ ରୁଷିଆର ଏକ-ତୃତୀୟାଂଶ ଗ୍ୟାସ୍‌ ରପ୍ତାନି ପାଇପ୍‌ଲାଇନ ଜରିଆରେ ହୋଇଥାଏ, ଯାହାକି ୟୁକ୍ରେନ୍‌ ଦେଇ ଗତିଶୀଳ ହୋଇଛି। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୟୁକ୍ରେନ୍‌ର ଭୌଗୋଳିକ ଅବସ୍ଥିତିରେ ଆଣିଥିବା ପରିବର୍ତ୍ତନକୁ ନେଇ ଆମେରିକା ସମେତ ଅନେକ ଦେଶ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି। ଆଗକୁ କଟକଣା ଜାରିର ଏହି ଧାରା ଲାଗି ରହିଲେ ରୁଷିଆର ତେଲ ଓ ଗ୍ୟାସ୍‌ ରପ୍ତାନି ହ୍ରାସ ପାଇବ। ଏଥିସହ ବିଶ୍ୱ ଅର୍ଥନୀତି ମଧ୍ୟ ପ୍ରଭାବିତ ହେବ ବୋଲି ମାନୁଲାଇଫ୍‌ ଇନ୍‌ଭେଷ୍ଟମେଣ୍ଟ ମ୍ୟାନେଜମେଣ୍ଟର ସୁ ଟ୍ରିନ୍‌ କହିଛନ୍ତି। ୨୦୧୪ ସେପ୍ଟେମ୍ବରରେ ବ୍ରେଣ୍ଟ ତେଲ ଦର ବ୍ୟାରେଲ ପିଛା ସର୍ବାଧିକ ୯୯ ଡଲାରକୁ ଛୁଇଁଥିଲା। ସମ୍ଭାବ୍ୟ ଯୁଦ୍ଧ ଆଶଙ୍କାରେ ସାରା ବିଶ୍ୱର ଷ୍ଟକ୍‌ ମାର୍କେଟ ମଧ୍ୟ ଲଗାତର ତଳମୁହାଁ ହେବାରେ ଲାଗିଛି।
ଅନ୍ୟପକ୍ଷେ ତେଲ ଦର ବୃଦ୍ଧିର ପ୍ରଭାବରୁ ଭାରତ ମଧ୍ୟ ମୁକ୍ତ ହୋଇପାରି ନାହିଁ। ଭାରତ ରୁଷିଆରୁ ଦୈନିକ ୪୩,୪୦୦ ବ୍ୟାରେଲ ତେଲ ଆମଦାନୀ କରିଥାଏ। ୨୦୨୧ରେ କୋଇଲା ଆମଦାନୀ ୧.୮ ନିୟୁତ ଟନ୍‌ ଥିବାବେଳେ ୨.୫ ନିୟୁତ ଟନ୍‌ ସିଏନ୍‌ଜି ରୁଷିଆରୁ ଆଣିଥାଏ। ଯଦିଓ ଏହି କ୍ଷେତ୍ରରେ ରୁଷିଆ ଉପରେ ଭାରତର ନିର୍ଭରଶୀଳତା ଅଧିକ ନୁହେଁ, ତଥାପି ବିଶ୍ୱ ବଜାରରେ ଦର ବୃଦ୍ଧି ଭାରତୀୟ ଅର୍ଥନୀତିକୁ ପ୍ରଭାବିତ କରିବ। ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଅଁା ହୋଇଥିବାବେଳେ ସରକାର ଏଥିରେ ବୃଦ୍ଧି ଘଟାଉନାହାନ୍ତି। କାରଣ ଆସନ୍ତା ୨୩, ୨୭, ୩ ଓ ୭ରେ ଉତ୍ତର ପ୍ରଦେଶ ନିର୍ବାଚନ ହେବ। ୟୁପିର ୪ ପର୍ଯ୍ୟାୟ ସହ ମଣିପୁରର ୬୦ ଆସନରେ ମଧ୍ୟ ଫେବୃୟାରୀ ୨୮ ଓ ମାର୍ଚ୍ଚ ୫ରେ ମତଦାନ ବାକି ଅଛି। ୧୧୦ ଦିନ ହେଲା ତେଲ ଦରକୁ ନେଇ ସମୀକ୍ଷା କରାଯାଇ ନାହିଁ। ଏହି ନିର୍ବାଚନ ଶେଷ ହେବା ପରେ କେନ୍ଦ୍ର ସରକାର ତେଲ ଦର ବଢ଼ାଇବା ଏକପ୍ରକାର ନିଶ୍ଚିତ।

Share