Categories: ବାଣିଜ୍ୟ

ରିହାତିରେ ତେଲ କିଣି ତୈଳ କମ୍ପାନୀ ଲାଭବାନ

ନୂଆଦିଲ୍ଲୀ,୬।୭ (ଅଭୟ ଦାଶ): ଗତ କିଛି ବର୍ଷ ହେବ ଭାରତୀୟ ତୈଳ କମ୍ପାନୀଗୁଡିକ ରୁଷିଆରୁ ତେଲ କିଣି ବ୍ୟାପକ ଲାଭବାନ ହୋଇଛନ୍ତି। ବିଶେଷ କରି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ବିଭିନ୍ନ ରାଷ୍ଟ୍ର ରୁଷିଆ ଉପରେ କଟକଣା ଲାଗୁ କରିଥିଲେ। ଏପରିକି ବିଭିନ୍ନ ରାଷ୍ଟ୍ରର ଧମକ ଓ ଆର୍ଥିକ କଟକଣା ଯୋଗୁ ରୁଷିଆ ଭାରତକୁ ଶସ୍ତାରେ ତେଲ ଯୋଗାଇ ଦେଇଥିଲା। ଫଳରେ ଭାରତୀୟ ତୈଳକମ୍ପାନିଗୁଡ଼ିକ ବିଗତ ୩ ବର୍ଷ ମଧ୍ୟରେ ବିପୁଳ ପରିମାଣର ତୈଳ ଆମଦାନୀ କରି ବେଶ୍‌ ଲାଭ କମାଇଛନ୍ତି। ହେଲେ ଉକ୍ତ ଆମଦାନୀର ସୁଫଳ ସାଧାରଣ ଖାଉଟିଙ୍କ ନିକଟକୁ ଯାଇନାହିଁ। ଫଳରେ ଖାଉଟି ଗତ ୨ ବର୍ଷ ହେବ ଉଚ୍ଚ ଦରରେ ଉଭୟ ପେଟ୍ରୋଲ ଓ ଡିଜେଲ ଏବଂ ପେଟ୍ରୋଲଜାତ ସାମଗ୍ରୀ ଆଦି କିଣୁଛନ୍ତି। ଅପରପକ୍ଷରେ ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ ରୁଷିଆରୁ ଭାରତ ଶସ୍ତା ମୂଲ୍ୟରେ ଅଶୋଧିତ ତୈଳ ଆମଦାନୀ କରୁଥିବାରୁ ଭାରତୀୟ ତୈଳକମ୍ପାନିଗୁଡ଼ିକ ଗତ ୧୪ ମାସ ମଧ୍ୟରେ ପ୍ରାୟ ୭.୧୭ ବିଲିୟନ ଡଲାରର ଅର୍ଥ ସଞ୍ଚୟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୨ ଏପ୍ରିଲରୁ ୨୦୨୩ ମେ ମଧ୍ୟରେ ଭାରତୀୟ ତୈଳ କମ୍ପାନୀଗୁଡିକ ପ୍ରାୟ ୫୭,୫୦୦ କୋଟି ଟଙ୍କାର ଅର୍ଥରାଶି ସଞ୍ଚୟ କରିଛନ୍ତି। ବିଶେଷ କରି ଭାରତ ବିଶ୍ୱର ୩ୟ ବୃହତ ତୈଳ ଆମଦାନୀକାରୀ ଦେଶ ହୋଇଥିବାବେଳେ ପ୍ରାୟ ୮୫% ଅଶୋଧିତ ତୈଳ ଆବଶ୍ୟକ କରିଥାଏ।
ଅପରପକ୍ଷରେ ୨୦୨୨ ଫେବୃୟାରୀ ଶେଷ ବେଳକୁ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ବଢିବାରୁ ରୁଷିଆ ଉପରେ ଅନେକ ଦେଶ କଟକଣା ଜାରି କରିଥିଲ କିନ୍ତୁ ଭାରତ ସେହି ସମୟରେ ରୁଷିଆଠାରୁ ସୁଲଭ ମୂଲ୍ୟରେ ତେଲ କିଣିବା ଆରମ୍ଭ କରିଥିଲା ହେଲେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଭାରତୀୟ ଗ୍ରାହକ ଉକ୍ତ ତେଲର ସୁବିଧା ପାଇପାରିଲେ ନାହିଁ କି ଗ୍ରାହକଙ୍କ ନିକଟକୁ ଶସ୍ତା ତେଲର କୌଣସି ସୁଫଳ ପହଞ୍ଚୁନାହିଁ , ଏହାକୁ ନେଇ ସାରା ଦେଶରେ ଅସନ୍ତୋଷ ସୃଷ୍ଟି ହେଉଛି। ଉକ୍ତ ରିପୋର୍ଟ ଅନୁଯାୟୀ ୨୦୨୨ ଏପ୍ରିଲରୁ ୨୦୨୩ ମେ ମଧ୍ୟରେ ଭାରତର ମୋଟ ଅଶୋଧିତ ତୈଳ ଆମଦାନୀ ବିଲ୍‌ ୧୮୬.୪୫ ବିଲିୟନ ଡଲାର ରହିଥିଲା। ଏପରିକି ଯଦି ଭାରତ ସେହି ଅଶୋଧିତ ତୈଳକୁ ଅନ୍ୟ ଏକ ଯୋଗାଣକାରୀ ଦେଶରୁ ଆମଦାନୀ କରିଥାନ୍ତା, ତେବେ ଭାରତକୁ ୧୯୬.୬୨ ବିଲିୟନ ଡଲାର ଦେବାକୁ ପଡ଼ିଥାନ୍ତା।
ସୂଚନାଯୋଗ୍ୟ, ଗତ ୧୪ ମାସ ମଧ୍ୟରେ ରୁଷିଆରୁ ଭାରତ ପ୍ରାୟ ୪୦ବିଲିୟନ ଡଲାରର ଅଶୋଧିତ ତୈଳ ଆମଦାନୀ କରିଛି। ବିଶେଷ କରି ଭାରତ ଉପରୋକ୍ତ ପରିମାଣର ଅଶୋଧିତ ତୈଳ ବ୍ୟାରେଲ ପିଛା ୭୯.୭୫ ଡଲାର ମୂଲ୍ୟରେ କିଣିଥିଲା ଯାହା କି ଅନ୍ୟ ଦେଶର ହାରାହାରି ମୂଲ୍ୟ ତୁଳନାରେ ବ୍ୟାରେଲ ପିଛା ୧୪.୫ ଡଲାର ଶସ୍ତା ବୋଲି ରିର୍ପୋଟରେ ଉଲ୍ଲେଖ କରାଯାଇଛି।

Share