ନୂଆଦିଲ୍ଲୀ,୧୧।୧୧: ଅକ୍ଟୋବରରେ ଦେଶର ତୈଳ ଚାହିଦା ୭ ମାସର ସର୍ବୋଚ୍ଚ ସ୍ତରରେ ରହିଛି। ସେହିଭଳି ପେଟ୍ରୋଲ ବିକ୍ରି ରେକର୍ଡ ସ୍ତରରେ ରହିଥିବା ସରକାରୀ ଡାଟାରୁ ସାମ୍ନାକୁ ଆସିଛି। ପାର୍ବଣ ଯୋଗୁ ବିଶ୍ୱର ତୃତୀୟ ବୃହତ୍ ତୈଳ ବ୍ୟବହାରକାରୀ ଦେଶ ଭାରତରେ ଯାନବାହନ ଚଳାଚଳ ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ତ୍ୱରାନ୍ବିତ ହୋଇଥିବା ଜଣାପଡ଼ିଛି। ସେପ୍ଟେମ୍ବର ତୁଳନାରେ ତୈଳ ଚାହିଦା ୧୨% ବୃଦ୍ଧି ଘଟି ୧୭.୮୭ ନିୟୁତ ଟନ୍ ଛୁଇଁଛି। ଗତ ବର୍ଷ ସମାନ ସମୟ ତୁଳନାରେ ଏହା ୦.୮% ଊର୍ଦ୍ଧ୍ୱରେ ରହିଛି। ଏହାବାଦ ୨୦୧୯ ତୁଳନାରେ ପ୍ରାୟ ୩% ଊର୍ଦ୍ଧ୍ୱରେ ରହିଛି ବୋଲି ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ ସେଲ୍(ପିପିଏସି) ପକ୍ଷରୁ ସୂଚନା ମିଳିଛି।
ମାସ ଆରମ୍ଭରୁ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ବଢ଼ିଛି। ତେଲ ଦର ଉଚ୍ଚରେ ରହିବା ସତ୍ତ୍ୱେ ମଧ୍ୟ ମଧ୍ୟ ପାର୍ବଣରେ ଲୋକଙ୍କ ତେଲ ଚାହିଦା ଊର୍ଦ୍ଧ୍ୱରେ ରହିଥିବା ଇନ୍ଫିନିଟିଭ ଆନାଲିଷ୍ଟ ଏହସାନ ଉଲ୍ ହକ୍ କହିଛନ୍ତି। ୨୦୧୯ ଏବଂ ୨୦୨୦ ଅକ୍ଟୋବର ତୁଳନାରେ ଚଳିତ ବର୍ଷ ସମାନ ଅବଧିରେ ଗ୍ୟାସୋଲିନ ଓ ପେଟ୍ରୋଲ ବିକ୍ରି ଯଥାକ୍ରମେ ୮.୩% ଏବଂ ୩.୪% ଊର୍ଦ୍ଧ୍ୱରେ ରହିଛି। ଟିକାକରଣ ଉନ୍ନତ ହେବା ଯୋଗୁ ବଜାର ଖୋଲିଛି। ଏହା ଚାହିଦା ବୃଦ୍ଧିରେ ସହାୟକ ହୋଇଥିବା ଇକ୍ରାର କର୍ପୋରେଟ ରେଟିଂ ସହମୁଖ୍ୟ ପ୍ରଶାନ୍ତ ବଶିଷ୍ଠ କହିଛନ୍ତି।
ତୁଳନାରେ ଡିଜେଲ ବିକ୍ରି ୨୦% ବୃଦ୍ଧି ଘଟି ୬.୬୧ ନିୟୁତ ଟନ ରହିଛି। ସେହିଭଳି ୨୦୨୦ ଅକ୍ଟୋବର ତୁଳନାରେ ଏହା ୧.୫% ଊର୍ଦ୍ଧ୍ୱରେ ରହିଛି। ମାତ୍ର ସାରା ବର୍ଷର ବିକ୍ରିରେ ଡିଜେଲ ଏବେ ମଧ୍ୟ ୫.୬% ନିମ୍ନରେ ରହିଛି। ଦେଶ ମଧ୍ୟରେ ହେଉଥିବା ଶୋଧିତ ତେଲ ବିକ୍ରି କ୍ଷେତ୍ରରେ ଡିଜେଲର ଅଂଶ ପ୍ରାୟ ୪୦% ରହିଛି। ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧୦ ଟଙ୍କାର ଉତ୍ପାଦ ଟିକସ ହ୍ରାସ କରିଛନ୍ତି। ଅର୍ଥ ବ୍ୟବସ୍ଥା ଖୋଲୁଥିବା ବେଳେ ଦର ହ୍ରାସ ହୋଇଥିବାରୁ ଏହା ଡିଜେଲ ଚାହିଦା ବୃଦ୍ଧିରେ ସହାୟକ ହେବ ବୋଲି ବଶିଷ୍ଠ ମତ ରଖିଛନ୍ତି। ସେହିଭଳି ଗତବର୍ଷକୁ ବିଚାର କଲେ ଏଲ୍ପିଜି ବିକ୍ରି ୩% ଊର୍ଦ୍ଧ୍ୱରେ ରହି ୨.୪୯ ନିୟୁତ ଟନ୍ ରହିଛି। ସେହିଭଳି ନେପ୍ଥା ବିକ୍ରି ୫.୨% ବଢ଼ି ୧.୨୮ ନିୟୁତ ଟନ୍ ରହିଛି।