ତୈଳଦର ବୃଦ୍ଧି ପ୍ରତିବାଦ: ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ

ବରଗଡ଼ ଅଫିସ,୨୯।୬: ଘାତକ କରୋନା(କୋଭିଡ-୧୯) ସଂକ୍ରମଣ ଭଳି ଜାତୀୟ ବିପର୍ଯ୍ୟୟ ସମୟରେ କେନ୍ଦ୍ର ସରକାରଙ୍କ ଦ୍ବାରା ପେଟ୍ରୋଲ, ଡିଜେଲ ଭଳି ତୈଳ ଦରବୃଦ୍ଧି ଘଟଣାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ଏ ନେଇ ବରଗଡ଼ ଜିଲା ଛାତ୍ର କଂଗ୍ରେସ ମଧ୍ୟ ଏହାର ଦୃଢ଼ ପ୍ରତିବାଦ କରିଛି। ଏହି ପରିପ୍ରେକ୍ଷୀରେ ସୋମବାର ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା କରାଯାଇ ଜିଲାପାଳ ଅଫିସ ଆଗରେ ଧାରଣା ଦିଆଯାଇଛି।
ସେହିପରି କଂଗ୍ରେସ କର୍ମୀମାନେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅନୁପସ୍ଥିତିରେ ଉପଜିଲାପାଳ ପ୍ରଭାସ କୁମାର ଦଣ୍ଡସନା ସ୍ମାରକପତ୍ର ଗ୍ରହଣ କରିଥିଲେ। ଏହି ଅବସରରେ ଯୁଗଳ ପ୍ରସାଦ ସିଂହ, ପ୍ରଦୀପ ଦେବତା, ନିପନ କୁମାର ଦାଶ, ବ୍ରହ୍ମା ମହାକୁଡ଼, ପ୍ରତାପ ଚନ୍ଦ୍ର ନାୟକ, ଶୁଭେନ୍ଦୁ ସାହୁ, ପାଣ୍ଡବ କର୍ଣ୍ଣ, ସୁଶିଲ ଭୋଇ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Share