Categories: ଜାତୀୟ

ଆରମ୍ଭ ହେଲା ତୈଳ ଝଟକା

ନୂଆଦିଲ୍ଲୀ,୨୩ା୩: ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଉଥିବା ବେଳେ ଭାରତୀୟ ବଜାରରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୪ ମାସରୁ ଊର୍ଦ୍ଧ୍ୱ ସମୟ ଧରି ସ୍ଥିର ରହିଥିଲା। ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିବାରୁ ସରକାର ପେଟ୍ରୋଲିୟମ୍‌ ସାମଗ୍ରୀ ଦରକୁ ନିୟନ୍ତ୍ରଣ ମଧ୍ୟରେ ରଖିଥିଲେ। ନିକଟରେ ଉକ୍ତ ୫ ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା ହେବାର ୫ଦିନ ପରେ ସରକାର ତୈଳ ଦର ବୃଦ୍ଧି ସଂକ୍ରାନ୍ତ ନିଷ୍ପତ୍ତି ନେଇଥିଲେ। ସେହି ଅନୁଯାୟୀ ମଙ୍ଗଳବାର ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀଗୁଡ଼ିକ ଦର ବୃଦ୍ଧି କରିଛନ୍ତି। ପେଟ୍ରୋଲ ଲିଟର ପିଛା ୮୫ ପଇସା ଓ ଡିଜେଲ ୮୬ ପଇସା ବଢ଼ିଛି। ଏହି ଦର ବୃଦ୍ଧି ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୨. ୬୬ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୨.୪୮ ଟଙ୍କାରେ କାରବାର ହେଉଛି।
ଅପରପକ୍ଷରେ ନୂଆଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ୮୦ ପଇସା ବୃଦ୍ଧି ଘଟିଛି। ଏହି ଦର ବୃଦ୍ଧି ଫଳରେ ସେଠାରେ ପେଟ୍ରୋଲ ଲିଟର ପିଛା ୯୬.୨୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୭.୪୭ ଟଙ୍କାରେ ପହଞ୍ଚତ୍ଛି। ସେହିପରି ଦେଶର ଅନ୍ୟ ପ୍ରମୁଖ ମହାନଗର ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ଯଥାକ୍ରମେ ୧୧୦.୮୨ ଟଙ୍କା, ୧୦୫.୫୧ ଟଙ୍କା ଏବଂ ୧୦୨.୧୬ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ଉପରୋକ୍ତ ମହାନଗରରେ ଡିଜେଲ ମୂଲ୍ୟ ୯୫ ଟଙ୍କା, ୯୦.୬୨ ଟଙ୍କା ଏବଂ ୯୨.୧୯ ଟଙ୍କାରେ କାରବାର କରାଯାଉଛି।
ସୂଚନାଯୋଗ୍ୟ, ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ଉଚ୍ଚ ରହିଛି। ଏହାର ପ୍ରଭାବ ଦୀର୍ଘଦିନ ହେବ ଭାରତ ବଜାରରେ ପକାଇ ଆସୁଥିଲା। କିନ୍ତୁ କେନ୍ଦ୍ର ସରକାର ନିର୍ବାଚନ ଯୋଗୁ ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ ସୃଷ୍ଟିକରି ଦର ସ୍ଥିର ରଖି ଆସିଥିଲେ। ଫଳରେ ତୈଳ କମ୍ପାନୀଗୁଡ଼ିକ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବା ସହିତ ସରକାରଙ୍କ ସହ ରହିଥିଲେ। ନିର୍ବାଚନ ଫଳାଫଳ ଘୋଷଣା ପରେ ତୈଳ କମ୍ପାନୀଗୁଡ଼ିକ ଉଚ୍ଚ ପରିମାଣରେ ତୈଳ ଦର ବୃଦ୍ଧି କରିବା ସ୍ବାଭାବିକ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ୨୦୨୧ ନଭେମ୍ବର ୪ରୁ ଚଳିତ ବର୍ଷ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଗ୍ରାହକ ତୈଳ ବାବଦରେ ଯେଉଁ ଅତିରିକ୍ତ ଅର୍ଥ ବ୍ୟୟ କରୁଥିଲେ ତାହା କିଛି ପରିମାଣରେ ହ୍ରାସ ପାଇବା ସହ ପରିବାର ପ୍ରତିପୋଷଣ କରିବାରେ ସହାୟକ ହେଉଥିଲା। ଏହି ଦର ବୃଦ୍ଧି ଯୋଗୁ ଖାଉଟିଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିଛି। ବିଭିନ୍ନ ଅର୍ଥନୈତିକ ଦୁଃସ୍ଥିତି ଯୋଗୁ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏବର ଇନ୍ଧନ ଓ ରନ୍ଧନ ଗ୍ୟାସ୍‌ ଦରବୃଦ୍ଧି ଖୁବ୍‌ ବାଧିଲା ପରି ହୋଇଛି। ଏବେ ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ ହୋଇଥିବା ବେଳେ ତୈଳ ଦର ବୃଦ୍ଧିର ପ୍ରଭାବ ସ୍ଥିତିକୁ ଆହୁରି ସଙ୍ଗିନ କରିଦେବ ବୋଲି ବଜାର ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

Share