ତେଲ ଦର ବଢୁଛି, ଟିକସ କମୁନି

ଭୁବନେଶ୍ୱର,୧୧।୨: ଲଗାତର ଦ୍ୱିତୀୟ ଦିନ ଲାଗି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଘଟିଛି। ଫଳରେ ବୁଧବାର ଇନ୍ଧନ ଦର ସର୍ବୋଚ୍ଚ ସ୍ତର ଛୁଇଁଛି। ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକର ସୂଚନା ମୁତାବକ, ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩୧ ପଇସା ବଢ଼ି ୮୮.୨୯ ଟଙ୍କା ଛୁଇଁଛି। ଏଠାରେ ଡିଜେଲ ଦର ୨୭ ପଇସା ବଢ଼ିବା ଯୋଗୁ ଦର ୮୪.୬୯ ରହିଛି। ଭୁବନେଶ୍ୱରରେ ଇନ୍ଧନ ଦର ନୂଆଦିଲ୍ଲୀଠାରୁ ଉଚ୍ଚରେ ରହିଛି। ରାଜ୍ୟରେ ତେଲ ଦର ରେକର୍ଡ ଭାଙ୍ଗି ଚାଲିଛି। କରୋନା ସମୟରେ ଖାଉଟି ହନ୍ତସନ୍ତ ହେଉଥିବା ବେଳେ ଲଗାତର ତେଲ ଦର ବୃଦ୍ଧି ଲୋକଙ୍କ ସମସ୍ୟାକୁ ଆହୁରି ବଢ଼ାଉଛି। ମଙ୍ଗଳବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ଏବଂ ଡିଜେଲ ୩୯ ପଇସା ବଢ଼ିଥିଲା। ଏହି ପରିପ୍ରେକ୍ଷୀରେ ଇନ୍ଧନ ଉପରେ ଲାଗୁ ହେଉଥିବା ଉତ୍ପାଦ ଟିକସ କମାଇବା ଦିଗରେ ସରକାର ବର୍ତ୍ତମାନ ବିଚାର କରୁ ନ ଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସଭାକୁ ସ୍ପଷ୍ଟ କରିଛନ୍ତି। କୋଭିଡ୍‌-୧୯ ଭାକ୍ସିନ ପ୍ରଦାନ ଆରମ୍ଭ ହୋଇଥିବାରୁ ତେଲ ଚାହିଦା ପୁଣି ଥରେ ତ୍ୱରାନ୍ବିତ ହୋଇଛି। ଫଳରେ ଅନ୍ତର୍ଜାତୀୟ ବଜାରରେ ବର୍ତ୍ତମାନ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୬୧ ଡଲାର ଟପିଥିବା ସେ ସ୍ପଷ୍ଟ କରିଛନ୍ତି। ପେଟ୍ରୋଲର ଲିଟର ପିଛା ରିଟେଲ ବିକ୍ରି ମୂଲ୍ୟକୁ ଦେଖିଲେ ଏଥିରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଲାଗୁ କରୁଥିବା ଟିକସର ଅଂଶ ୬୧% ରହୁଛି। ସେହିଭଳି ଡିଜେଲ କ୍ଷେତ୍ରରେ ଏହି ଟିକସ ହାର ୫୬%। ରାଜ୍ୟଗୁଡ଼ିକ ସ୍ତରରେ ଭାଟ୍‌ ଭିନ୍ନ ରହିବା ଯୋଗୁ ତେଲ ଦର ଭିନ୍ନ ରହୁଛି।

Share