ନୂଆଦିଲ୍ଲୀ,୧୮।୯: ଗତ କିଛିଦିନ ହେବ କ୍ରମାଗତ ଭାବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଚାଲିଛି। ଫଳରେ ସରକାର ଦେଶ ମଧ୍ୟରେ ଉତ୍ପାଦିତ ଅଶୋଧିତ ତୈଳ ଉପରେ ଉଇଣ୍ଡଫଲ ଲାଭ ଟିକସ ହ୍ରାସ କରିଛନ୍ତି। ଏହାଛଡ଼ା ଡିଜେଲ ଓ ବିମାନ ଇନ୍ଧନ ରପ୍ତାନି ଉପରେ ମଧ୍ୟ ଲାଗୁ ହେଉଥିବା ଶୁଳ୍କ ମଧ୍ୟ ହ୍ରାସ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଦେଶରେ ଏବେ ବି ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି। ଗତ କିଛିମାସ ହେଲା ଭାରତ ବଜାରରେ ତୈଳ ମୂଲ୍ୟରେ କୌଣସି ହ୍ରାସ କିମ୍ବା ବୃଦ୍ଧି ହୋଇନାହିଁ। ତେବେ ସରକାର ଉଇଣ୍ଡଫଲ ଲାଭ ଟିକସ ହ୍ରାସ କରିଥିବାରୁ ମୂଲ୍ୟ ହ୍ରାସର ଆଶା କରାଯାଉଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟର ହ୍ରାସ ଜାରି ରହିଛି। ଫଳରେ ଶୁକ୍ରବାର ସରକାର ୫ଥର ପାଇଁ ଫର୍ଟନାଇଟ୍ ସମୀକ୍ଷାରେ ଘରୋଇ ସ୍ତରରେ ଉତ୍ପାଦିତ ଅଶୋଧିତ ତୈଳ ଉପରେ ଟନ ପିଛା ୧୩,୩୦୦ ଟଙ୍କାର କରକୁ ହ୍ରାସ କରି ୧୦,୫୦୦ ଟଙ୍କା କରି ଦେଇଛନ୍ତି।