ଭୁବନେଶ୍ୱର: ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଲୋକଙ୍କ ଲାଗି ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି। ଗତ ୫ ଦିନ ହେବ ତେଲ ଦର ଥମିବାର ନାଁ ନେଉନାହିଁ। ମଙ୍ଗଳବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬ ପଇସା ବୃଦ୍ଧି ପାଇ ୮୨.୧୯ ଟଙ୍କା ଛୁଇଁଛି। ସେହିଭଳି ଏଠାରେ ଡିଜେଲ ଦର ୧୭ ପଇସା ବଢ଼ିବା ଯୋଗୁ ଲୋକଙ୍କୁ ୭୭.୭୬ ଟଙ୍କା ଦେବାକୁ ପଡୁଛି। ଗତ ୨ ମାସ ହେବ ତେଲ ଦରରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ହେଲେ ଗତ ଶୁକ୍ରବାରଠାରୁ ତୈଳ ବିପଣନ କମ୍ପାନୀ ଇନ୍ଧନ ଦର ପରିବର୍ତ୍ତନ କରୁଛନ୍ତି। ଦେଶର ମେଟ୍ରୋ ସହରଗୁଡ଼ିକରେ ମଧ୍ୟ ସ୍ଥିତି ସମାନ ରହିଛି। ମଙ୍ଗଳବାର ଏହି ସହରଗୁଡିକରେ ପେଟ୍ରୋଲ ଲିଟର ୫ରୁ ୬ ପଇସା ବଢିଛି। ସେହିଭଳି ଡିଜେଲ ଦର ୧୬ରୁ ୧୭ ପଇସା ଉଚ୍ଚରେ ରହିଛି। ନୂଆଦିଲ୍ଲୀରେ ପେଟ୍ରୋଲ ୮୧.୫୯ ଟଙ୍କା ଥିବା ବେଳେ ଚେନ୍ନାଇରେ ୮୪.୬୪ ଟଙ୍କା, କୋଲକାତାରେ ୮୩.୧୫ ଟଙ୍କା ଏବଂ ମୁମ୍ବାଇରେ ସର୍ବାଧିକ ୮୮.୨୯ ଟଙ୍କା ରହିଛି। ଏହାବାଦ୍ ଏହି ସହରଗୁଡିକରେ ଡିଜେଲ ଦର ଯଥାକ୍ରମେ ୭୧.୪୧ ଟଙ୍କା, ୭୬.୮୮ ଟଙ୍କା, ୭୪.୯୮ ଟଙ୍କା ଏବଂ ୭୭.୯୦ ଟଙ୍କା ରହିଛି।