ଦ୍ୱିତୀୟ ଦିନ ଲାଗି ବଢ଼ିଲା ତେଲ ଦର

ଭୁବନେଶ୍ୱର,ନୂଆଦିଲ୍ଲୀ,୬।୫:ଦେଶ ମଧ୍ୟରେ ଲଗାତର ଦ୍ୱିତୀୟ ଦିନ ଲାଗି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଫଳରେ ଭୁବନେଶ୍ୱରରେ ବୁଧବାର ପେଟ୍ରୋଲ ଲିଟର ପିଛା ୧୭ ପଇସା ବୃଦ୍ଧି ପାଇ ୯୧.୪୪ ଟଙ୍କା ଛୁଇଁଛି। ଏଠାରେ ଡିଜେଲ ଦର ୨୧ ପଇସା ଉର୍ଦ୍ଧ୍ୱରେ ରହିବା ଯୋଗୁ ଦର ୮୮.୩୮ ଟଙ୍କା ଛୁଇଁଥିଲା। ମଙ୍ଗଳବାର ମଧ୍ୟ ପେଟ୍ରୋଲ ଓ ଡିଜେଲଦର ଯଥାକ୍ରମେ ୧୫ ପଇସା ଏବଂ ୧୯ ପଇସା ବଢିଥିଲା।
ଲଗାତର ଦ୍ୱିତୀୟ ଦିନ ଇନ୍ଧନ ଦର ବଢିବା ଫଳରେ ଦେଶର ପ୍ରମୁଖ ସହରଗୁଡିକରେ ପେଟ୍ରୋଲ ୧୯ ପଇସା ଏବଂ ଡିଜେଲ ୨୧ ପଇସା ବୃଦ୍ଧି ପାଇଛି। ଫଳରେ ନୂଆଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଦର ଯଥାକ୍ରମେ ୯୦.୭୪ ଟଙ୍କା ଏବଂ ୮୧.୧୨ ଟଙ୍କା ଛୁଇଁଛି। ସେହିଭଳି ମୁମ୍ବାଇରେ ଯଥାକ୍ରମେ ୯୭.୧୨ ଟଙ୍କା, ୮୮.୧୯ ଟଙ୍କା, ଚେନ୍ନାଇରେ ୯୨.୭୦ ଟଙ୍କା ଏବଂ ୮୬.୦୯ ଟଙ୍କା ଥିବା ବେଳେ କଲିକତାରେ ୯୦.୯୨ ଟଙ୍କା ଏବଂ ୮୩.୯୮ ଟଙ୍କା ଛୁଇଁଛି। ଚଳିତ ବର୍ଷ ଜାନୁୟାରୀ ପରଠାରୁ ଇନ୍ଧନ ଦର ରେକର୍ଡ ସ୍ତରରେ ରହିଛି। ପେଟ୍ରୋଲ ଏବଂ ଡିଜେଲ ଦର ଏହା ମଧ୍ୟରେ ପ୍ରାୟ ୨୬ ଥର ବଢିଲାଣି। ଫଳରେ ପେଟ୍ରୋଲ ୭.୪୬ ଟଙ୍କା ଏବଂ ଡିଜେଲ ୭.୬୦ ଟଙ୍କା ମହଙ୍ଗା ହୋଇଛି।
ଉଲ୍ଲେଖଯୋଗ୍ୟ, ନିର୍ବାଚନ ଯୋଗୁ ତୈଳ ବିପଣନ କମ୍ପାନୀଗୁଡିକ ପେଟ୍ରୋଲ,ଡିଜେଲ ଦରରେ କୌଣସି ପରିବର୍ତ୍ତନ କରୁ ନ ଥିଲେ। ନିର୍ବାଚନ ଶେଷ ହେବା ପରେ ଦର ପୁଣି ଥରେ ବଢିବ ବୋଲି ଆଶଙ୍କା କରାଯାଉଥିଲା। ନିର୍ବାଚନ ଗୋଟିଏ ଦିନ ପରେ ତେଲ ଦର ପୁଣି ଥରେ ବୃଦ୍ଧି ପାଇଥିବା ନଜରକୁ ଆସିଛି। କମ୍ପାନୀଗୁଡିକ ଗତ ୧୮ ଦିନ ପରେ ତେଲ ଦରରେ ଏଭଳି ପରିବର୍ତ୍ତନ କରିଛନ୍ତି। ଗତ ଫେବୃୟାରୀ ୨୮ରୁ ପ୍ରାୟ ୨ ମାସରୁ ଊର୍ଦ୍ଧ୍ୱ ସମୟ ହେବ ତେଲ ଦର ବଢ଼ି ନ ଥିଲେ ମଧ୍ୟ ଏହି ଅବଧିରେ ଦର ପ୍ରାୟ ୭୦ ପଇସା କମିଥିଲା।

Share