୨ ମାସ ପରେ ବଢ଼ିଲା ତେଲ ଦର

ଭୁବନେଶ୍ୱର,୨୧। ୧୧: ପ୍ରାୟ ୨ ମାସ ହେବ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ଶୁକ୍ରବାର ଇନ୍ଧନ ଦରରେ ପୁଣି ଥରେ ପରିବର୍ତ୍ତନ ଦେଖାଯାଇଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୨୧ ପଇସା ବଢ଼ି ୮୧.୮୧ ଛୁଇଁଛି। ସେହିଭଳି ଡିଜେଲ ଦର ୨୭ ପଇସା ବୃଦ୍ଧି ହୋଇ ୭୬.୯୫ ଟଙ୍କାରେ ପହଞ୍ଚିଛି। ୨ ମାସ ହେବ ଦେଶର ତୈଳ ବିପଣନ କମ୍ପାନୀଗୁଡ଼ିକ ଇନ୍ଧନ ଦରରେ

କୌଣସି ପରିବର୍ତ୍ତନ କରି ନ ଥିବାରୁ ଖାଉଟିଙ୍କୁ ଏହାର ଲାଭ ମିଳିଥିଲା। ମାତ୍ର କରୋନା କାଳରେ ପୁଣି ଥରେ କମ୍ପାନୀ ତେଲ ଦର ବଢ଼ାଇବାରୁ ଏହା ଖାଉଟିଙ୍କ ଉପରେ ବୋଝ ସଦୃଶ ହୋଇଛି। ଦେଶର ମେଟ୍ରୋ ସହରଗୁଡିକରେ ପେଟ୍ରୋଲ ଦର ଶୁକ୍ରବାର ୧୭ରୁ ୨୦ ପଇସା ଉଚ୍ଚରେ ରହିଛି। ସେହିଭଳି ଡିଜେଲ ଲିଟର ପିଛା ଲୋକଙ୍କୁ ୨୨ରୁ ୨୫ ପଇସା ଅଧିକ ଦେବାକୁ ପଡୁଛି। ନୂଆଦିଲ୍ଲୀରେ ପେଟ୍ରୋଲ ଦର ୮୧.୨୩ ଟଙ୍କା ଥିବା ବେଳେ ଚେନ୍ନାଇରେ ୮୪.୩୧ ଟଙ୍କା, କୋଲକାତାରେ ୮୨.୨୯ ଟଙ୍କା ଏବଂ ମୁମ୍ବାଇରେ ସର୍ବାଧିକ ୮୭.୨୯ ଟଙ୍କା ରହିଛି। ଅପରପକ୍ଷରେ ଏହି ୪ ସହରରେ ଡିଜେଲ ଦର ଯଥାକ୍ରମେ ୭୦.୬୮ ଟଙ୍କା, ୭୬.୧୭ ଟଙ୍କା, ୭୪.୨୪ ଟଙ୍କା ଏବଂ ୭୭.୧୧ ଟଙ୍କା ଛୁଇଁଛି। କରୋନା ପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମ୍‌ ରହିବା ଯୋଗୁ ଇନ୍ଧନ ଦରରେ କମ୍ପାନୀ କୌଣସି ପରିବର୍ତ୍ତନ କରି ନ ଥିଲେ। ବର୍ତ୍ତମାନ ଦରରେ ଏଭଳି ପରିବର୍ତ୍ତନ ହେବା ପରେ ଆଗାମୀ ଦିନରେ ମଧ୍ୟ ଦର ବଢ଼ିପାରେ ବୋଲି ଆକଳନ କରାଯାଇଛି।

Share