ନୂଆଦିଲ୍ଲୀ,୧୨।୪: ତୈଳ ଦର ବୃଦ୍ଧିକୁ ନେଇ ସାଧାରଣ ଖାଉଟିଙ୍କ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଲୋକ ସରକାରକୁ ବିରୋଧ କରିବା ସହ ଅସନ୍ତୋଷ ଜାହିର କରିଥିଲେ। ଏପରିକି ତେଲ ଦର ବୃଦ୍ଧିକୁ ନେଇ ରାଜ୍ୟ ଠାରୁ ଦେଶ ପର୍ଯ୍ୟନ୍ତ ସବୁ ସ୍ଥାନରେ ବନ୍ଦ ଡାକାର ଓ ବିକ୍ଷୋଭ ମଧ୍ୟ ବିଭିନ୍ନ ଦଳ ଓ ସଙ୍ଗଠନ ପକ୍ଷରୁ କରାଯାଇଥିଲା। ଫଳରେ ହୁ ହୁ ବଢୁଥିବା ତେଲ ଦର କ୍ରମାଗତ ୧୨ ଦିନ ହେବ ଅପରିବର୍ତ୍ତିତ ରହିଛି। ଶେଷ ଥର ପାଇଁ ଗତ ମାର୍ଚ୍ଚ ୩୦ରେ ଦର ପରିବର୍ତ୍ତନ ହୋଇଥିଲା ଏବଂ ପ୍ରାୟ ଏକ ମାସରୁ ଉର୍ଦ୍ଧ୍ୱ ସମୟ ହେବ ତେଲ ଦର ବଢିନାହିଁ। ବିଭିନ୍ନ ରାଜ୍ୟରେ ବିଧାନ ସଭା ଜାରି ରହିଥିବାରୁ ଏଇ ନିକଟରେ କିଛି ପଇସା ତେଲ ଦର ଉପରେ ହ୍ରାସ ପାଇଥିଲା।
ଦେଶର ଅଗ୍ରଣୀ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରବିବାର ଭୁବନେଶ୍ୱରର ତେଲ ଦର ପୂର୍ବଭଳି ସ୍ଥିର ରହିଛି। ଫଳରେ ଏଠାରେ ପେଟ୍ରୋଲ ଲିଟର ପିଛା ୯୧.୨୮ଟଙ୍କା ଥିଲା ବେଳେ ଡିଜେଲ ୮୮.୧୩ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦.୫୬ ଟଙ୍କା ଏବଂ ଡିଜେଲ ୮୦.୮୭ ଟଙ୍କାରେ ରହିଛି। ସେହିପରି ଦେଶର ଅନ୍ୟ ପ୍ରମୁଖ ମେଟ୍ରୋ ସହର ଚେନ୍ନାଇ, କୋଲକତା ଏବଂ ମୁମ୍ବାଇ ଭଳି ସହରରେ ପେଟ୍ରୋଲ ଦର ଯଥାକ୍ରମେ ୯୨.୫୮ଟଙ୍କା, ୯୦.୭୭ ଟଙ୍କା ଏବଂ ୯୬ .୯୮ଟଙ୍କା ରହିଥିବା ଜଣାପଡିଛି। ଅନ୍ୟପକ୍ଷରେ ଏହି ସବୁ ମେଟ୍ରୋ ସହରର ଡିଜେଲ ଦର ୮୫.୮୮ଟଙ୍କା, ୮୩ ୭୫ ଟଙ୍କା ଏବଂ ୮୭.୯୬ ଟଙ୍କାରେ ବିକ୍ରି ହେଉଥିବା ସୂଚନା ମିଳିଛି।