ନିୟନ୍ତ୍ରଣରେ ରହିବ ତୈଳ ଦର

ନୂଆଦିଲ୍ଲୀ,୧୬ା୩: ସାଧାରଣ ଲୋକଙ୍କ ହିତକୁ ନଜରରେ ରଖି ଇନ୍ଧନ ଦର ନିୟନ୍ତ୍ରଣ ରଖିବା ଉଦ୍ଦେଶ୍ୟରେ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଙ୍ଗଳବାର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ରାଷ୍ଟ୍ର ଅର୍ଥ ମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ, ହୋଲ୍‌ସେଲ୍‌ ପ୍ରାଇସ୍‌ ଇନ୍‌ଡେକ୍ସ (ଡବ୍ଲ୍ୟୁପିଆଇ)ରେ ପେଟ୍ରୋଲିୟମ୍‌, ପ୍ରାକୃତିକ ଗ୍ୟାସ୍‌, ଇନ୍ଧନ ଏବଂ ପାଓ୍ବାର ସବ୍‌ଗ୍ରୁପ୍‌ ସିଧାସଳଖ ଭାବେ କଞ୍ଚା ତୈଳ ଦର ହ୍ରାସ-ବୃଦ୍ଧି ସହିତ ଜଡ଼ିତ। ‘ସରକାର ୟୁକ୍ରେନ୍‌ ସଙ୍କଟ କାରଣରୁ ଇନ୍ଧନ ଦର ବୃଦ୍ଧି ବଜାୟ ରଖିବା ପାଇଁ ଉତ୍ପାଦ ଶୁଳ୍କରେ ହ୍ରାସ କରିବେ କି’ ବୋଲି ରାଜ୍ୟସଭାରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ଚୌଧୁରୀ କହିଛନ୍ତି ଯେ, ସାର୍ବଜନିକ ସେକ୍ଟରରେ ଅଏଲ୍‌ ମାର୍କେଟିଂ କମ୍ପାନୀ(ଓଏମ୍‌ସି)ମାନେ ଅନ୍ତର୍ଜାତୀୟ ଉତ୍ପାଦ ଦର , ଏକ୍ସେଞ୍ଜ୍‌ ରେଟ୍‌, କର ସଂରଚନା, ଅନ୍ତର୍ଦ୍ଦେଶୀୟ ଭଡ଼ା ଏବଂ ଅନ୍ୟ ଦରଗୁଡ଼ିକ ସମ୍ପର୍କରେ ବିଚାର କରି ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦର ଉପରେ ଉଚିତ୍‌ ନିର୍ଣ୍ଣୟ ନିଅନ୍ତି। ଭାରତ ନିଜ ଆବଶ୍ୟକୀୟ ଇନ୍ଧନ ପରିମାଣର ୮୫% ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିଥାଏ। ତେଣୁ ଏ ଦିଗରେ ସାଧାରଣ ଲୋକଙ୍କ ସ୍ବାର୍ଥ ରକ୍ଷା ଲାଗି ସରକାର ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ଚୌଧୁରୀ କହିଛନ୍ତି।

Share