ତୈଳଭଣ୍ଡାର ପ୍ରକଳ୍ପ ଆଶା ଉଜ୍ଜୀବିତ

ଯାଜପୁର,୧୮ା୭ (ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳର ଡଙ୍କାରୀ ପାହାଡ଼ ତଳେ ଦେଶର ଚତୁର୍ଥ ସର୍ବବୃହତ୍‌ ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରତିଷ୍ଠା ପ୍ରସ୍ତାବ ୬ ବର୍ଷ ହେଲା ଜମି ନ ମିଳିବାରୁ ଅଟକି ରହିଛି। ତତ୍କାଳୀନ ବିଜେଡି ସରକାର କଳାପଥର ଖାଦାନ ପାଇଁ ଜମି ଯୋଗାଇ ଦେବାରେ ଟାଳଟୁଳ ନୀତି ଆପଣାଇଥିବା ଭାଜପା ପକ୍ଷରୁ ସେତେବେଳେ ଅଭିଯୋଗ ହୋଇଥିଲା। ଓଡ଼ିଶାରେ ଭାଜପା ଏକାକୀ ସରକାର ଗଢ଼ିଥିବାରୁ ଏବେ କେନ୍ଦ୍ର ସରକାରଙ୍କ ବହୁ ପ୍ରତୀକ୍ଷିତ ଭୂତଳ ତୈଳଭଣ୍ଡାର ପୁଣି ପ୍ରତିଷ୍ଠା ହେବାର ଆଶା ଉଜ୍ଜୀବିତ ହୋଇଛି। ଏଥିପାଇଁ ସରକାର ଚାହିଁଲେ ଏବେ ଜମି ଅଧିଗ୍ରହଣରେ କୌଣସି ବାଧା ଉପୁଜିବ ନାହିଁ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଆଶା ପ୍ରକଟ କରିଛନ୍ତି।
୨୦୧୭-୧୮ ବଜେଟରେ ଏହି ଭୂତଳ ତୈଳଭଣ୍ଡାର ପାଇଁ ୩୮୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ଏହାପରେ ଏହାକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଥିଲା। ୩.୭ ମିଲିୟନ ମେଟ୍ରିକ ଟନ୍‌ (ଏମ୍‌ଏମ୍‌ଟି) କ୍ଷମତାବିଶିଷ୍ଟ ଏହି ତୈଳ ସଂରକ୍ଷଣ ଭଣ୍ଡାରର ଉଦ୍ଦେଶ୍ୟ ହେଉଛି ଜରୁରିକାଳୀନ ସମୟରେ ପେଟ୍ରୋଲିୟମ ଦ୍ରବ୍ୟ ଯୋଗାଇଦେବା। କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରଣାଳୟର ଏହି ଐତିହାସିକ ପ୍ରସ୍ତାବକୁ ସବୁ ମହଲରୁ ସ୍ବାଗତ କରାଯାଇଥିଲା। ଇତିମଧ୍ୟରେ ବିଭିନ୍ନ ସମୟରେ କେନ୍ଦ୍ରୀୟ ଦଳଗୁଡ଼ିକ ପ୍ରସ୍ତାବିତ ଡଙ୍କାରୀ ଅଞ୍ଚଳ ପରିଦର୍ଶନ ସହ ଅନୁଧ୍ୟାନ କରି ଫେରିଯାଇଥିଲେ। କିନ୍ତୁ ଏକାଧିକ ମୂଲ୍ୟବାନ କଳାପଥର ଖାଦାନ ଯୋଗୁ ଏହି ପ୍ରସ୍ତାବିତ ତୈଳଭଣ୍ଡାର ପ୍ରକଳ୍ପ ହଜିଯାଇଛି। ଜିଲା ପ୍ରଶାସନ ପକ୍ଷରୁ ୧୪୧୩ କୋଟି ୮୬ ଲକ୍ଷ ୯୧ ହଜାର ୮୩୦ ଟଙ୍କା ରାଜସ୍ବ ହରାଇବେ ବୋଲି ଆକଳନ କରାଯାଇ ରାଜ୍ୟ ସରକାରଙ୍କୁ ସେତେବେଳେ ଅବଗତ କରାଯାଇଥିଲା। ତଥାପି ଜମି ଯୋଗାଇ ଦେବାରେ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା।
ଉଲ୍ଲେଖଯୋଗ୍ୟ, ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁସାରେ ଧର୍ମଶାଳା ତହସିଲଦାର ତାଙ୍କ ପତ୍ରସଂଖ୍ୟା ୧୧୮୬/୧୨ା୪ା୨୦୧୮ରେ ଡଙ୍କାରୀରେ ଚାଲିଥିବା ସମସ୍ତ କଳାପଥର ଖାଦାନକୁ ବନ୍ଦ କରିବାକୁ ଯାଜପୁର ଏସପିଙ୍କୁ ଅନୁରୋଧ କରିଥିଲେ। ଏଥିପାଇଁ ସରକାରଙ୍କ ଆଇନ ଅନୁସାରେ ସେତେବେଳେ କୌଣସି କଳାପଥର ଖାଦାନକୁ ଲିଜ୍‌ ସୂତ୍ରରେ ଅନୁମତି ଦିଆଯାଇ ନ ଥିଲା। କିନ୍ତୁ ଧର୍ମଶାଳା ତହସିଲଦାର ଜିଲାପାଳଙ୍କୁ ତାଙ୍କ ପତ୍ରସଂଖ୍ୟା ୧୧୮୯/୧୨ା୪ା୨୦୧୮ରେ ଡଙ୍କାରୀରେ ଚାଲିଥିବା ୩ଟି ଅନୁମତିପ୍ରାପ୍ତ ଓ ୧୩ଟି ଅନୁମତି ଅପେକ୍ଷାରେ ଥିବା ପଥର ଖାଦାନ ବନ୍ଦ ହେଲେ ସରକାର ଉପରୋକ୍ତ ପରିମାଣର ଅର୍ଥ କ୍ଷତି ସହିବେ ବୋଲି ଜଣାଇଥିଲେ।
ଡଙ୍କାରୀ ପାହାଡ଼ ପାଦଦେଶରେ ଥିବା ଖାତା ନମ୍ବର ୨୨୧, ପ୍ଲଟ ନମ୍ବର ୬୦୦ର ୭୭୩.୬୦ ଏକର ପର୍ବତ କିସମ ଜମିରେ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରସ୍ତାବ ରହିଥିଲା। ଏଥିରେ ପ୍ରାୟ ୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେତେବେଳେ ପ୍ରତିଶ୍ରୁତି ଦିଆଯାଇଥିଲା। କଳାପଥର ଖାଦାନ ଆଳରେ ଏହି ଉଦ୍ଦେଶ୍ୟ ସେତେବେଳେ ପରାହତ ହୋଇଥିଲା। ଏବେ କିନ୍ତୁ ପୁଣି ସୁଯୋଗ ଆସିଛି। ପ୍ରସ୍ତାବିତ ସ୍ଥାନଟି ଧର୍ମଶାଳା ନିର୍ବାଚନମଣ୍ଡଳୀରେ ରହିଛି। ଏଠାରୁ ସ୍ବାଧୀନ ଭାବେ ନିର୍ବାଚିତ ହୋଇଥିବା ବିଧାୟକ ହିମାଂଶୁ ଶେଖର ସାହୁ ଭାଜପାକୁ ସମର୍ଥନ ଦେଉଛନ୍ତି। ତେଣୁ ସାମୂହିକ ସ୍ବାର୍ଥ ଦୃଷ୍ଟିରୁ ଏହି ବୃହତ୍‌ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଉଚିତ ବୋଲି ଏବେ ସବୁଠି ଦାବି ହେଉଛି। ଚଣ୍ଡିଖୋଲର ବରିଷ୍ଠ ଆଇନଜୀବୀ ଉଦୟନାଥ ସାହୁ କୁହନ୍ତି, ୨୦୧୭ରୁ କେନ୍ଦ୍ର ସରକାର ଏହି ତୈଳଭଣ୍ଡାର ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଥିଲେ। ୨୦୨୧ରେ ପୁଣି ଏଥିପାଇଁ ଆର୍ଥିକ ବ୍ୟୟବରାଦ ହୋଇଥିଲା। କିନ୍ତୁ ସେତେବେଳେ ରାଜ୍ୟ ସରକାର ଆବଶ୍ୟକ ଜମି ଯୋଗାଇଦେବାକୁ ବିଭିନ୍ନ ପ୍ରକାର ଆଳ କରିଥିଲେ। ଏବେ ଆଉ ସେହି ସମସ୍ୟା ନାହିଁ। ଡବଲ ଇଞ୍ଜିନ ସରକାର ହୋଇଛି। ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅବିଳମ୍ବେ ଜମି ଅଧିଗ୍ରହଣ କରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେବା ଆବଶ୍ୟକ।
ଚଣ୍ଡିଖୋଲ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶେଷଦେବ ନାୟକ କୁହନ୍ତି, ଡଙ୍କାରୀରେ କଳାପଥର ଖାଦାନ ପାଇଁ ଏହି ମହତ୍‌ ପ୍ରକଳ୍ପ ହୋଇପାରିନାହିଁ। ତେବେ ଦର୍ପଣୀ ଅଞ୍ଚଳର ଖଟୁଆପଡା, ଅଣ୍ଟିଆ, ତରଞ୍ଜିଆ, କଞ୍ଚନଗର, ଖରମଙ୍ଗି ଅଞ୍ଚଳରେ ପ୍ରାୟ ୫୦୦ ଏକର ଜମିରେ ଏହି ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ପରବର୍ତ୍ତୀ ସମୟରେ ପ୍ରସ୍ତାବ ହୋଇଥିଲା। କିନ୍ତୁ ସେତେବେଳେ ସରକାର ଏଥିପ୍ରତି ଆଦୌ ଆଗ୍ରହ ପ୍ରକାଶ କରି ନ ଥିଲେ। ଏବେ କେନ୍ଦ୍ର ଓ ରାଜ୍ୟରେ ଭାଜପା ସରକାର ଚାଲିଛି। ତେଣୁ ଅଞ୍ଚଳର ବିକାଶ ଦୃଷ୍ଟିରୁ ଉକ୍ତ ପ୍ରକଳ୍ପ ପ୍ରତିଷ୍ଠା ଦିଗରେ ଉଭୟ ସରକାର ତ୍ୱରାନ୍ବିତ ପଦକ୍ଷେପ ଗ୍ରହଣ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri