ତେଲ ଟ୍ୟାଙ୍କର ବିସ୍ଫୋରଣରେ ୯୨ ମୃତ

ଫ୍ରିଟାଉନ (ସିଏରା ଲିଓନେ), ୭ା୧୧: ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର ସିଏରା ଲିଓନେ ରାଜଧାନୀ ନିକଟରେ ଏକ ତୈଳ ଟ୍ୟାଙ୍କରରେ ବିସ୍ଫୋରଣ ହେବାରୁ ୯୨ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକେ ଆହତ ହୋଇଛନ୍ତି। ଶୁକ୍ରବାର ରାତିରେ ଫ୍ରିଟାଉନ ନିକଟସ୍ଥ ଓ୍ବେଲିଙ୍ଗଟନ୍‌ରେ ଟ୍ୟାଙ୍କରରୁ ତେଲ ଲିକ୍‌ ହେଉଥିବାବେଳେ ଏହାକୁ ସଂଗ୍ରହ କରିବା ପାଇଁ ସେଠାରେ ଲୋକଙ୍କ ଭିଡ଼ ଲାଗିଥିଲା। ସେହି ସମୟରେ ଟ୍ୟାଙ୍କରକୁ ଏକ ବସ୍‌ ଧକ୍କା ଦେବାରୁ ସେଥିରେ ବିସ୍ଫୋରଣ ହୋଇ ଏତେ ସଂଖ୍ୟାରେ ଲୋକଙ୍କ ଜୀବନ ଗଲା ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।
ଶନିବାର ସକାଳ ସୁଦ୍ଧା କନଟ୍‌ ହସ୍ପିଟାଲର ମର୍ଚୁଆରିକୁ ୯୨ ମୃତଦେହ ଆସିଥିବାବେଳେ ଅନ୍ୟ ୩୦ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଶରୀରର ଅଧିକାଂଶ ଭାଗ ପୋଡ଼ିଯାଇଥିବାରୁ ବଞ୍ଚତ୍ବା ଆଶା ବହୁତ କମ୍‌ ବୋଲି ହସ୍ପିଟାଲ କର୍ମଚାରୀ କହିଛନ୍ତି। ବିସ୍ଫୋରଣ ପରେ ରାତି ଆକାଶରେ ବିଶାଳ ଅଗ୍ନି ପିଣ୍ଡୁଳା ଜଳୁଥିବା ଭିଡିଓରୁ ଦେଖିବାକୁ ମିଳିଛି। ଅଧାପୋଡ଼ା ଲୋକେ ଯନ୍ତ୍ରଣାରେ ଆର୍ତ୍ତ ଚିତ୍କାର କରୁଥିବାବେଳେ ସମ୍ପୂର୍ଣ୍ଣ ଦଗ୍ଧ ମୃତଦେହଗୁଡ଼ିକ ରାସ୍ତାରେ ପଡ଼ିରହିଥିବା ଦେଖାଯାଇଥିଲା। ଜାତିସଂଘ ଜଳବାୟୁ ସମ୍ମିଳନୀରେ ଯୋଗଦେବା ପାଇଁ ସ୍କଟଲାଣ୍ଡରେ ଥିବା ସିଏରା ଲିଓନେ ରାଷ୍ଟ୍ରପତି ଜୁଲିଅସ୍‌ ମାଡା ବିଓ ବିସ୍ଫୋରଣ ଖବର ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଉପରାଷ୍ଟ୍ରପତି ମହମ୍ମଦ ଜୁଲଡେହ ଜାଲୋହ ଶୁକ୍ରବାର ରାତିରେ ଆହତମାନେ ଚିକିତ୍ସିତ ହେଉଥିବା ଦୁଇଟି ହସ୍ପିଟାଲକୁ ଯାଇ ସେମାନଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇବା ଓ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଇବାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଓ ଅନ୍ୟମାନେ ଅକ୍ଳାନ୍ତ ପରିଶ୍ରମ କରିଥିବା ସେ କହିଛନ୍ତି। ଏହା ଦେଶ ପାଇଁ ବାସ୍ତବରେ ଏକ କଷ୍ଟକର ସମୟ ବୋଲି ସେ ଫେସ୍‌ବୁକ୍‌ ପେଜ୍‌ରେ ଉଲ୍ଲେଖ କରିଛନ୍ତି।

Share