ଓଆଇପିଏଲ୍‌ ଜାଲିଆତି କରି ଜମି ହାତେଇଛି : କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୬ା୧୧(ବ୍ୟୁରୋ): ଖୋର୍ଦ୍ଧା ସାରୁଅ ଜମି ବିବାଦ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଓଡ଼ିଶା ଇନ୍‌ଫ୍ରାଟେକ ପ୍ରାଇଭେଟ ଲିମିଟେଡ୍‌ (ଓଆଇପିଏଲ) କମ୍ପାନୀ ଜାଲିଆତି କରି ଜମି ହଡପ ସହ ବେଆଇନ କାରବାର କରି ଜମି ଅକ୍ତିଆର କରିଥିବା କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଗୁରୁବାର ଖବରଦାତା ସମ୍ମିଳନୀରେ ସେ କହିଲେ, ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଘଟଣାର ତଦନ୍ତ କରିବା ପରେ ବେଆଇନ ଜମି ହଡପ ହୋଇଥିବା ତଥ୍ୟ ହସ୍ତଗତ ହୋଇଛି। ଓଆଇପିଏଲ ଚଞ୍ଚକତା କରି ଅନୁସୂଚିତ ଜନଜାତିଙ୍କ ଜମିକୁ ନିଜର ଜଣେ କର୍ମଚାରୀ ତଥା ଅନୁସୂଚିତ ଜନଜାତିଙ୍କ ନାମରେ ଠକେଇ କରି କିଣିଥିବା ଜଣାପଡିଛି। ଏହା ଏକ ଧର୍ତ୍ତବ୍ୟ ଅପରାଧ। ଏଥିରେ ସମ୍ପୃକ୍ତ ଥିବାରୁ ସଂସ୍ଥାର ସିଏଫ୍‌ଓ ମନୋରଞ୍ଜନ ଷଡ଼ଙ୍ଗୀ ଓ ଶିବ ପ୍ରସାଦ ଶ୍ରୀଚନ୍ଦନଙ୍କୁ ପୂର୍ବରୁ ଗିରଫ କରାଯାଇଛି। ଏଥିସହ ଉକ୍ତ ଜମି ଜାଲିଆତିରେ ବେଆଇନ ଅର୍ଥ କାରବାରକୁ ଆୟକର ବିଭାଗର ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏଡିଜି ପ୍ରିୟଦର୍ଶୀ କହିଛନ୍ତି, ଇନଫ୍ରାଷ୍ଟ୍ରକଚର ଓ ରିୟଲଇଷ୍ଟେଟ ବ୍ୟବସାୟ ନିମନ୍ତେ ସାରୁଅରେ ୨୦୧୦ରୁ ୨୦୧୩ ମଧ୍ୟରେ ଓଆଇପିଏଲ ଜମି କିଣିଥିଲା। କେତେଜଣ ଗରିବ ଅନୁସୂଚିତ ଜନଜାତିର ବ୍ୟକ୍ତିଙ୍କ ଜମିକୁ ଜାଲିଆତି କରି କିଣାଯାଇଥିବା ଅଭିଯୋଗ ଆସିବା ପରେ ଗତ ୩୧ ତାରିଖରେ ମାମଲା (ନଂ. ୮/୨୦) ରୁଜୁ କରି ଇଓଡବ୍ଲ୍ୟୁ ଘଟଣାର ତଦନ୍ତ ଚଳାଇଛି। ତେବେ ଏହି ଜମି କିଣାରେ ବେନାମୀ ହୋଇଥିବା ଅର୍ଥ କାରବାର ରାଜ୍ୟ ପୋଲିସର ତଦନ୍ତ ପରିସରଭୁକ୍ତ ନୁହେଁ। ତେଣୁ ଏହାକୁ ଆୟକର ବିଭାଗ ତଦନ୍ତ ପରିସରଭୁକ୍ତ କରିବାକୁ ରାଜ୍ୟ ପୋଲିସ ଅନୁରୋଧ କରିଥିବା ଓ ଇଓଡବ୍ଲ୍ୟୁ ତା’ର ଅନ୍ୟସବୁ ତଦନ୍ତ ଜାରି ରଖିଥିବା ସେ କହିଛନ୍ତି।

 

Share