ଆଜିଠୁ ଓଜେଇଇ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ସୋମବାରଠାରୁ ଆରମ୍ଭ ହେବ। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ ମୋଡ୍‌ରେ କରାଯିବ। ଦୈନିକ ୩ଟି ସିଫ୍ଟ ହେବ ଓ ପ୍ରତି ପରୀକ୍ଷାର ଅବଧି ଦୁଇ ଘଣ୍ଟା ରହିଛି। ସକାଳ ୯ରୁ ପୂର୍ବାହ୍ନ ୧୧, ଅପରାହ୍ନ ୧୨ଟା ୩୦ରୁ ୨ଟା ୩୦ ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। ତେବେ ଚଳିତବର୍ଷ ରେକର୍ଡ ସଂଖ୍ୟକ ୭୯,୮୦୦ ଛାତ୍ରୀଛାତ୍ର ଓଜେଇଇ ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଏଥିପାଇଁ ମୋଟ ୫୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ରାଜ୍ୟ ଭିତରେ ମୋଟ ୨୧ ସହରରେ ୫୦ଟି ଓ ରାଜ୍ୟ ବାହାରେ ୩ଟିର ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ ପ୍ରଥମଥର ପାଇଁ ରାଞ୍ଚତ୍, କୋଲକାତା ଓ ପାଟନାର ୩ଟି ସେଣ୍ଟରରେ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ସେହିଭଳି ଏଥର ରାଜ୍ୟର ୬ଟି ସହର ବଲାଙ୍ଗୀର, ପାରଳାଖେମୁଣ୍ଡି, ଜଗତ୍‌ସିଂହପୁର, ଯାଜପୁର, ନୟାଗଡ଼ ଓ ଫୁଲବାଣୀରେ ପ୍ରଥମଥର ପାଇଁ ପରୀକ୍ଷା କେନ୍ଦ୍ର କରାଯାଇଛି।
ଉଲ୍ଲେଖଯୋଗ୍ୟ, କରୋନା ପାଇଁ ଏଥର ଓଜେଇଇ ଅହେତୁକ ବିଳମ୍ବ ହୋଇଛି। ଏ ପରିସ୍ଥିତିରେ ପରୀକ୍ଷା ସୁପରିଚାଳନା ପାଇଁ ରାଜ୍ୟ ସରକାର ଏକ ଏସ୍‌ଓପି ଜାରି କରିଛନ୍ତି। ସମସ୍ତ ପରୀକ୍ଷା କେନ୍ଦ୍ରରେ ମୋଟ ବସିବା କ୍ଷମତାର ମାତ୍ର ୫୦% ବ୍ୟବହାର କରାଯିବ ଓ ନିର୍ଦ୍ଦେଶାବଳୀ ଅନୁଯାୟୀ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବ୍ୟବଧାନ ବଜାୟ ରହିବ। ଯଦି କୌଣସି ପରୀକ୍ଷାର୍ଥୀଙ୍କ ଶରୀର ତାପମାତ୍ରା ଅଧିକ କିମ୍ବା ଅନ୍ୟ କୌଣସି କରୋନା ଲକ୍ଷଣ ଥିବା ପରି ଦେଖାଯାଏ, ତେବେ ସ୍ବତନ୍ତ୍ର ଭାବେ କରାଯାଇଥିବା ହଲ୍‌ରେ ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ। କରୋନା ଆକ୍ରାନ୍ତ ଛାତ୍ରୀଛାତ୍ର ପରୀକ୍ଷା ଦେଇପାରିବେ ନାହିଁ। ଅନ୍ୟ ଛାତ୍ରୀଛାତ୍ର ଓ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ତେଣୁ ପଜିଟିଭ୍‌ ଚିହ୍ନଟ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରକୁ ନ ଆସିବା ପାଇଁ ଓଜେଇଇ ପକ୍ଷରୁ କୁହାଯାଇଛି। ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇଥିବେ, ସେମାନଙ୍କ ପାଇଁ ଆଗକୁ ପରୀକ୍ଷା ଦେବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି।

Share