୩ ଶିଫ୍ଟରେ ହେବ ଓଜେଇଇ

ଭୁବନେଶ୍ୱର, ୨।୧୦(ବ୍ୟୁରୋ): ଆସନ୍ତା ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ଏନେଇ ଗୁରୁବାର ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଏଥର ୩ଟି ଶିଫ୍ଟରେ ୨ ଘଣ୍ଟିଆ ଅବଧି ବିଶିଷ୍ଟ ପରୀକ୍ଷା କରାଯିବ। ସକାଳ ୯ରୁ ପୂର୍ବାହ୍ନ ୧୧, ଅପରାହ୍ନ ୧୨ଟା ୩୦ରୁ ୨ଟା ୩୦ ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୩ଟି ଶିଫ୍ଟ କରାଯାଇଛି। ସେହିଭଳି କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ ମୋଡ୍‌ରେ ଓଜେଇଇ ପରୀକ୍ଷା ହେବ। ଛାତ୍ରୀଛାତ୍ରମାନେ ଅକ୍ଟୋବର ୫ରୁ ojee.nic.in ଓ୍ବେବ୍‌ସାଇଟ୍‌ରେ ଆଇଡି ଓ ପାସ୍‌ଓ୍ବାର୍ଡ ଦେଇ ଆଡ୍‌ମିଟ କାର୍ଡ ଡାଉନଲୋଡ କରିପାରିବେ। ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇ କହିଛନ୍ତି, ଚଳିତବର୍ଷ ଓଜେଇଇ ପାଇଁ ରେକର୍ଡ ସଂଖ୍ୟକ ୭୯,୮୦୦ ଛାତ୍ରୀଛାତ୍ର ନାମ ପଞ୍ଜୀକରଣ କରିଛନ୍ତି। ୫୩ଟି ସେଣ୍ଟରରେ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେବେ। ରାଜ୍ୟ ଭିତରେ ୨୧ଟି ସହରରେ ୫୦ଟି ପରୀକ୍ଷା କେନ୍ଦ୍ର ହୋଇଛି। ପ୍ରଥମଥର ପାଇଁ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ରାଞ୍ଚତ୍, କୋଲକାତା ଓ ପାଟନା ସେଣ୍ଟରରେ ଛାତ୍ରୀଛାତ୍ର ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି।

Share