ସେପ୍ଟେମ୍ବର ୩ରେ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ,୨୫ା୮(ସୁପ୍ରିୟା ପ୍ରିୟଦର୍ଶିନୀ):ଆସନ୍ତା ସେପ୍ଟେମ୍ବର ୩ରେ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍‌) ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ପରୀକ୍ଷା ସୂଚୀ ଏବଂ ପରୀକ୍ଷା କେନ୍ଦ୍ର ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି, ସେପ୍ଟେମ୍ବର ୩ରୁ ୭ ତାରିଖ ପର୍ଯ୍ୟନ୍ତ ଦୁଇଟି ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ପୂର୍ବାହ୍ନ ସାଢେ ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଦ୍ୱିତୀୟ ସିଟିଂ ଅପରାହ୍ନ ୨ଟାରୁ ସାଢେ ୪ଟା ପର୍ଯ୍ୟନ୍ତ ଚାଲିବ। ୩ ତାରିଖରେ କମ୍ପଲସରି ପେପର-୧ ଓ ୨ ପରୀକ୍ଷା ହେବ। ସେହିପରି ୪, ୫ ଓ ୭ ତାରିଖରେ ଅପ୍ସନାଲ ପରୀକ୍ଷା ହେବ। ଏହି ପରୀକ୍ଷା ପାଇଁ ଓପିଏସ୍‌ସି ପକ୍ଷରୁ ରାଜ୍ୟର ୩ ଜିଲାରେ ୪ଟି ପରୀକ୍ଷା କେନ୍ଦ୍ର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟରେ ଦୁଇଟି କେନ୍ଦ୍ର, କଟକର ସୁଧାନନ୍ଦ ଇଞ୍ଜିୟନିୟରିଂ କଲେଜ ଓ ସମ୍ବଲପୁରର ଧାନକାଉସ୍ଥିତ ସେଣ୍ଟ ଜୋନସ ସ୍କୁଲରେ ଗୋଟିଏ ଲେଖାଏ ପରୀକ୍ଷା କେନ୍ଦ୍ର କରାଯାଇଛି। ମୋଟ ୯୯୪ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ। ଏହି ପରୀକ୍ଷା ପାଇଁ ଆସନ୍ତା ୨୮ରେ ଓପିଏସ୍‌ସି ୱେବ୍‌ସାଇଟ୍‌ରେ ଆଡ୍‌ମିସନ ସାର୍ଟିଫିକେଟ ଉପଲବ୍ଧ ହେବ ବୋଲି ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।