ବେଙ୍ଗାଲୁରୁ,୭।୧୦: ଆପ୍ ଭିତ୍ତିକ କ୍ୟାବ୍ କମ୍ପାନୀ ଓଲା, ଉବର ଏବଂ ରାପିଡୋ ଲାଗିଛି ବଡ ଝଟ୍କା। ଏହି କମ୍ପାନୀଗୁଡ଼ିକୁ ତିନି ଦିନ ମଧ୍ୟରେ କର୍ନାଟକରେ ସେମାନଙ୍କର ଅଟୋ ସେବା ବନ୍ଦ କରିବାକୁ ହେବ। କାରଣ ରାଜ୍ୟ ସରକାର କମ୍ପାନୀଗୁଡ଼ିକୁ ବେଆଇନ ଘୋଷଣା କରି ବଡ଼ ଆଦେଶ ଦେଇଛନ୍ତି।
କର୍ନାଟକ ସରକାରଙ୍କ ନିଷ୍ପତ୍ତି ଉପରେ ପରିବହନ ବିଭାଗ(କର୍ନାଟକ ପରିବହନ ବିଭାଗ) ପକ୍ଷରୁ ତିନି କ୍ୟାବ୍ ସେବା କମ୍ପାନୀକୁ ନୋଟିସ୍ ପଠାଯାଇଛି। କମ୍ପାନୀଗୁଡ଼ିକ ବିରୋଧରେ ଆସିଥିବା ଅଭିଯୋଗକୁ ଗ୍ରହଣ କରି ସରକାର ଆସନ୍ତା ଦିନ ମଧ୍ୟରେ କର୍ନାଟକରେ ଏହି ଅଟୋ ସେବାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସରକାରଙ୍କ ନିୟମ ଅନୁଯାୟୀ ଅଟୋ ଚାଳକ ପ୍ରଥମ ୨ କିମି ଲାଗି ୩୦ ଟଙ୍କା ଏବଂ ଏହା ପରେ କିଲୋମିଟର ପିଛା ୧୫ ଟଙ୍କା ହିସାବରେ ଚାର୍ଜ କରିପାରିବେ। ହେଲେ ୨ କିଲୋମିଟରରୁ କମ୍ ଦୂରତା ଥିଲେ ହେଁ କମ୍ପାନୀଗୁଡ଼ିକ ଯାତ୍ରୀମାନଙ୍କଠାରୁ ଅତିକମ୍ରେ ୧୦୦ ଟଙ୍କା ଭଡ଼ା ନେଉଥିବା ନେଇ ଅଭିଯୋଗ ହେଉଥିଲା। ଏହାକୁ ନେଇ ଅଟୋରିକ୍ସା ଦର ମଧ୍ୟ ବୃଦ୍ଧି ପାଉଥିଲା। ସମସ୍ତ ଅଭିଯୋଗ ଉପରେ ଆଲୋଚନା କରି କର୍ନାଟକ ସରକାର କ୍ୟାବ୍ କମ୍ପାନୀଗୁଡ଼ିକୁ ନୋଟିସ୍ ଜାରି କରିଛି। ଯଦି କେହି ଏହାର ଉଲ୍ଲଂଘନ କରନ୍ତି ତେବେ ତା’ ବିରୋଧରେ ମାମଲା ରୁଜୁ ହେବ ବୋଲି କୁହାଯାଇଛି।