ଜମୁଛି ଓଳଗ ଦୁର୍ଗାପୂଜା: ଶରବିନ୍ଧା ପ୍ରତିଯୋଗିତା ଲାଗି ଉତ୍ସାହିତ ଯୁବଗୋଷ୍ଠୀ

ଆରଡ଼ି,୨।୧୦(ଡି.ଏନ୍‌.ଏ.): ମହାମାରୀ କରୋନାର ସଂକ୍ରମଣ କମିଛି। ପାର୍ବଣରେ ନାହିଁ ଆଉ କଟକଣା। ଏନେଇ ଚଳିତ ଦୁର୍ଗାପୂଜାରେ ସଜେଇ ହୋଇଛି ଦୁଇ ଜନପଦ। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ବଡ଼ ଓଳଗ ଓ ସାନ ଓଳଗରେ ୪ ଦିନ ଧରି ଚାଲୁଥିବା କ୍ଷତ୍ରିୟ ସମ୍ପ୍ରଦାୟଙ୍କ ଶାରଦୀୟ ପୂଜାରେ ରବିବାର ମା’ ଦୁର୍ଗାଙ୍କ ସପ୍ତମୀ ପୂଜା ଚାଲିଛି। ଏହି ଅବସରରେ ମା’ଙ୍କ ଚଣ୍ଡୀପାଠ ସହ ଗ୍ରାମବାସୀଙ୍କ ନାମ ସଂକୀର୍ତ୍ତନ ପରିବେଶକୁ ଭକ୍ତିମୟ କରିଦେଇଛି। ଏପରି କି ଆରମ୍ଭ ହୋଇଯାଇଛି ଯୁବକଙ୍କ ଖଣ୍ଡା ଓ ବାଡ଼ି ଖେଳ। ଏନେଇ ଜମୁଛି ଦର୍ଶକଙ୍କ ଭିଡ଼। ବଡ଼ ଓଳଗ ପୂଜା ମଣ୍ଡପରେ ମା’ଙ୍କ କଳସ ସ୍ଥାପନ ପରେ ସୁନା ଓ ରୁପାରେ ନିର୍ମିତ ଚକ୍ଷୁ, ନାସା, କର୍ଣ୍ଣ, ଅଧର, ମୁକୁଟ ଆଦିରେ ମା’ଙ୍କୁ ସୁଶୋଭିତ କରି ପୂଜା କରାଯାଉଛି। ସେହିଭଳି ସାନ ଓଳଗରେ ମଧ୍ୟ ପାର୍ବଣର ମହକ ବାରିହୋଇପଡୁଛି। ଏଠାରେ ମହଣ ପତ୍ରକୁ ମା’ଙ୍କ ବିଗ୍ରହ ଭାବେ ପୂଜା ମଣ୍ଡପରେ ସ୍ଥାପନ କରି ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଉଛି ।

ସୋମବାର ଓ ମଙ୍ଗଳବାର ଏହି ଦୁଇ ଗ୍ରାମରେ ପାଳିତ ହେବ ମହାଷ୍ଟମୀ ଓ ମହାନବମୀ ପୂଜା। ପରମ୍ପରା ଅନୁସାରେ ମହାଷ୍ଟମୀରେ ଗ୍ରାମର କିଶୋରୀ, କିଶୋର, ଯୁବତୀ, ଯୁବକ, ବୃଦ୍ଧା, ବୃଦ୍ଧ ଉପବାସ କରି ମା’ଙ୍କୁ ଆରାଧନା କରିଥାନ୍ତି। ଚଣ୍ଡୀପାଠ, କୁଷ୍ମାଣ୍ଡ ବଳି ପରେ ବ୍ରତଧାରୀ ବ୍ରତ ଭଙ୍ଗ କରି ପ୍ରସାଦ ସେବନ କରିଥାନ୍ତି। ସନ୍ଧ୍ୟାରେ ପ୍ରତି ଘରେ ଖିରି, ପୁରି, କାକରା, ମାଲପୁଆ, ପଞ୍ଚାମୃତ ଆଦି ପ୍ରସ୍ତୁତ କରି ଲୋକଙ୍କୁ ପରଷିଥାନ୍ତି। ମହାନବମୀରେ ମଧ୍ୟ ଏହି ପରମ୍ପରା ରହିଛି। ବୁଧବାର ଗ୍ରାମରେ ପାଳିତ ହେବ ଦଶହରା ପର୍ବ। ପୂର୍ବାହ୍ନରେ ମା’ଙ୍କୁ ବିରାଟ ପଟୁଆର ସହ ବିଭିନ୍ନ ପାରମ୍ପରିକ ବାଦ୍ୟରେ ଉଭୟ ଗ୍ରାମରେ ପରିକ୍ରମା କରାଯାଇଥାଏ। ଏହି ଅବସରରେ ଗ୍ରାମର ଯୁବକମାନେ ଖଣ୍ଡା, ବାଡ଼ି ଖେଳର ତାଳେ ତାଳେ ମା’ଙ୍କୁ ବିଦାୟ ଦେଇଥାନ୍ତି। ଅପରାହ୍ନ ପରେ ନିକଟସ୍ଥ ଅମୃତମଣିଠାରେ ଉଭୟ ଗ୍ରାମ ମଧ୍ୟରେ ଶରବିନ୍ଧା ପ୍ରତିଯୋଗିତା ହୋଇଥାଏ। ଲକ୍ଷ୍ୟସ୍ଥଳଠାରୁ ୧୦୦ ଫୁଟ ଦୂରରେ ପୋତା ହୋଇଥିବା କଦଳୀ ଗଛକୁ ତୀର ନିକ୍ଷେପ କରିଥାନ୍ତି। ଯେଉଁ ଗ୍ରାମର ଯୁବକ ଉକ୍ତ ଗଛରେ ତୀର ଲଗାଇଥାନ୍ତି ସେହି ଗ୍ରାମ ମା’ଙ୍କ ଭୂସମ୍ପତ୍ତିକୁ ୧ ବର୍ଷ ପାଇଁ ନେଇଥାାନ୍ତି। ଏହି ପରମ୍ପରା ଦୀର୍ଘ ୫୦୦ ବର୍ଷରୁ ଅଧିକ ହେବ ଚାଲିଆସୁଛି ବୋଲି ଗ୍ରାମବାସୀ କୁହନ୍ତି। କେବଳ ପୂଜା ନୁହେଁ, ଏହି ପରମ୍ପରା ଉଭୟ ଗ୍ରାମ ମଧ୍ୟରେ ଭାଇଚାରା ବଜାୟ ରଖିଛି।