ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ସାଜିଲେ ଘାତକ

ଯାଜପୁର ଅଫିସ,୧୮ା୨: ଯାଜପୁର ଜିଲା ବରୀ ନିର୍ବାଚନମଣ୍ଡଳୀରେ ବିଜେଡିରେ ଥିବା ଦୁଇ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ଚଳିତ ନିର୍ବାଚନରେ ଘାତକ ସାଜିଛନ୍ତି। ବୁଧବାର ଭୋଟ ଗ୍ରହଣ ବେଳେ ସଂଘଠିତ ନିର୍ବାଚନୀ ହିଂସା ଏହାର କାରଣ ବୋଲି ସବୁଠି ଚର୍ଚ୍ଚାର ବିଷୟ ହୋଇଛି। ବର୍ତ୍ତମାନର ବିଧାୟିକା ସୁନନ୍ଦା ଦାସ ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭାଜପାରୁ ଆସିଥିବା ବିଶ୍ୱରଞ୍ଜନ ମଲ୍ଲିକଙ୍କ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଏରବାଙ୍କ ପଞ୍ଚାୟତରେ ଉତ୍ତେଜନା ପ୍ରକାଶ ପାଇବା ସହ ବୋମାମାଡ଼, ବୁଥ କ୍ୟାପଚରିଂ, ଘରକୁ ପଶି ଆକ୍ରମଣ ଭଳି ହିଂସାକାଣ୍ଡ ଘଟିଥିଲା। ପୋଲିସ ଉପସ୍ଥିତିରେ ଏଭଳି କାଣ୍ଡ ଘଟିଛି। ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ରୁଦ୍ରପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ କରୁଣାକର ଆଚାର୍ଯ୍ୟ ଓ ତାଙ୍କ ସମର୍ଥକ ମଣିନାଥ ସାହୁଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଏଥିରେ ସମ୍ପୃକ୍ତ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଯାଜପୁର ସଦର ଥାନା ପୋଲିସ ଏଯାଏ ସଫଳ ହୋଇପାରିନାହିଁ । ଏହି କାରଣରୁ ବରୀ ବ୍ଲକରେ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଆହୁରି ତୁମୁଳକାଣ୍ଡ ହୋଇପାରେ ବୋଲି ସ୍ଥାନୀୟ ଜନସାଧାରଣ ଆଶଙ୍କା ପ୍ରକାଶ କରିଛନ୍ତି।
ଯାଜପୁର ବ୍ଲକର ୨୬ ପଞ୍ଚାୟତରେ ବୁଧବାର ପଞ୍ଚାୟତ ନିର୍ବାଚନ ସମ୍ପନ୍ନ ହୋଇଛି। ଏହି ବ୍ଲକର ଏରବାଙ୍କ, ସାହସପୁର, ସୁଜନପୁର, ଛତିଶଦେବିଲ, ରୁଦ୍ରପୁର, ସାନସୁଆର, ବଡସୁଆର ଓ ଝାଲପଡା ପଞ୍ଚାୟତ ବରୀ ନିର୍ବାଚନମଣ୍ଡଳୀ ଅଧୀନରେ ରହିଛି। ଏହି ପଞ୍ଚାୟତଗୁଡ଼ିକରେ ବରୀ ବିଧାୟିକା ସୁନନ୍ଦା ଦାସ ଓ ଅନ୍ୟତମ ବିଜେଡିର ପ୍ରଭାବଶାଳୀ ନେତା ବିଶ୍ୱରଞ୍ଜନ ମଲ୍ଲିକଙ୍କ ସମର୍ଥିତ ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀ ରହିଛନ୍ତି। ‘ଯିଏ ଜିତିବ ସେ ଆମର’ ନୀତିରେ ବିଜେଡି ଏଠାରେ ରଣନୀତି ଚଳାଇଛି। ଏହି କାରଣରୁ ବୁଧବାର ପଞ୍ଚାୟତ ନିର୍ବାଚନରେ ବ୍ୟାପକ ହିଂସାକାଣ୍ଡ ଘଟିଥିବା କୁହାଯାଉଛି। ବିଶେଷକରି ଏରବାଙ୍କ ପଞ୍ଚାୟତରେ ୨ ସରପଞ୍ଚ ପ୍ରାର୍ଥୀ ଓ ପ୍ରାର୍ଥତ୍ନୀଙ୍କ ମଧ୍ୟରେ ଟଣାଓଟରା ହୋଇଛି। ୨ ଓ ୩ ନମ୍ବର ବୁଥ୍‌ରେ କ୍ୟାପଚରିଂ ହେବା ସହ ଗାଁ ଦାଣ୍ଡରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାର୍‌ପିଟ ହୋଇଥିଲା। ଏପରିକି ଏକ ଗୋଷ୍ଠୀ ବୋମାମାଡ଼ କରିଛନ୍ତି। ଇଟାପଥର ମାଡ଼ରେ ବହୁ ଲୋକ ଆହତ ହୋଇଛନ୍ତି। ସେତିକିରେ ଆକ୍ରମଣକାରୀମାନଙ୍କ ମନଶାନ୍ତି ହୋଇ ନ ଥିଲା। ସେମାନେ ଏଜେଣ୍ଟମାନେ ଲୁଚିଥିବା ଘରର କବାଟ ଝରକା ଭାଙ୍ଗିବା ସହିତ ସେଠାରେ ଥିବା ବାଇକ୍‌କୁ ଚୂରମାର କରିଦେଇଥିଲେ। କେବଳ ଏତିକି ନୁହଁ ଜଣେ ଗର୍ଭବତୀ ମହିଳାଙ୍କୁ ବି ସେମାନେ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ଏ ସଂକ୍ରାନ୍ତରେ ଯାଜପୁର ସଦର ଥାନାରେ ଉଭୟ ଗୋଷ୍ଠୀ ପକ୍ଷରୁ ଅଭିଯୋଗ ହୋଇଛି।

Share