ବେଆଇନ ଭାବେ କାଟୁଥିଲେ: ଗଛ ପଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ

କୋଟଗଡ଼/ବାଲିଗୁଡ଼ା,୨୩ା୧୦(ଡି.ଏନ୍‌.ଏ.): ବାଲିଗୁଡ଼ା ଥାନା କୁଟିକିଆ ଝୁଲାପୋଲ ନିକଟ ଡ୍ରିପଙ୍ଗା ପାର୍ଶ୍ୱରେ ରବିବାର କେହି ଦୁର୍ବୃତ୍ତ ବେଆଇନ ଭାବେ ଗଛ କାଟୁଥିବା ବେଳେ ଗଛ ପଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରଖମା ଅଞ୍ଚଳର ଆଦମ ଦିଗାଳ (୬୫)। ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା। ଗ୍ରାମବାସୀଙ୍କ ସହ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ନେଇ ରାଜପଥ ଅବରୋଧ କରିଥିଲେ। ଖବର ପାଇ ବିଡିଓ ଶଶାଙ୍କ ଶେଖର ପାତ୍ର, ଥାନା ଅଧିକାରୀ ବାବାଶଙ୍କର ସରାଫ୍‌ଙ୍କ ସହ ପୋଲିସ କର୍ମଚାରୀ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ପରେ ରେଡ୍‌କ୍ରସ୍‌ ପାଣ୍ଠିରୁ ୨୦ ହଜାର ଓ ସାଂସଦଙ୍କ ପାଣ୍ଠିରୁ ୫୦ ହଜାର ଟଙ୍କା ଦେବା ନେଇ ପ୍ରତିଶ୍ରୁତି ଦେଇଥିଲେ।

ସୂଚନାଯୋଗ୍ୟ, ପାଷ୍ଟର ଆଦମ କୁଟିକିଆ ଚର୍ଚ୍ଚକୁ ପ୍ରାର୍ଥନା ପାଇଁ ଯାଉଥିବା ବେଳେ କଟାଯାଉଥିବା ଗଛଟି ହଠାତ୍‌ ତାଙ୍କ ଉପରେ ପଡ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Share