ପିଟି ପିଟି ମାରିଦେଲେ

ଭଦ୍ରକ ଅଫିସ,୧୯।୮: ସାମାନ୍ୟ କଳିରୁ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତା ବୃଦ୍ଧାଙ୍କ ସମ୍ପର୍କୀୟ ପୁତୁରାଙ୍କ ଏତଲା କ୍ରମେ ଅଭିଯୁକ୍ତ କାଳନ୍ଦୀ ମଳିକ(୨୮)ଙ୍କୁ ତିହିଡ଼ି ପୋଲିସ ଗିରଫ କରିଛି। ମୃତା ବୃଦ୍ଧା ହେଲେ କାଁପଡ଼ା ଗାଁର ସ୍ବର୍ଗତ ମଣି ଦାସଙ୍କ ସ୍ତ୍ରୀ କଟି ଦାସ।

ମିଳିଥିବା ସୂଚନା ମୁତାବକ, ସେ ଗାଁ ଛାଡ଼ି ଦୀର୍ଘ ଦିନ ହେଲା ତିହିଡ଼ି ସଦର ବଜାର ସ୍ଥିତ ହାଟପଟିରେ ଏକ ଝାଟିମାଟି ଘରେ ଜଣେ ସମ୍ପର୍କୀୟା ନାତୁଣୀଙ୍କ ସହ ରହୁୁଥିଲେ। ହାଟପଟିରେ ତାଙ୍କ ଘର ନିକଟରେ ରହୁଥିବା ସୟା ପଞ୍ଚାୟତ ବାଲିଚତୁରୀ ଗାଁର କାଳନ୍ଦୀ ବିଭିନ୍ନ ସମୟରେ କଟିଙ୍କ ସହ ଝଗଡ଼ା କରୁଥିଲେ। ବୁଧବାର ସକାଳେ କୌଣସି କାରଣରୁ ତାଙ୍କ ସହ ଝଗଡ଼ା କରିଥିଲେ କାଳନ୍ଦୀ। ଖବର ପାଇ ପୁତୁରା ସୟା ପଞ୍ଚାୟତ ଡିଆଁସାହିର ଉତ୍ତମ ମଳିକ ହାଟପଟିରେ ପହଞ୍ଚି ମୂମୁର୍ଷ ଅବସ୍ଥାରେ କଟିଙ୍କୁ ଉଦ୍ଧାର କରି ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପୂର୍ବରୁ କାଳିଆ ପିଟି ପିଟି ଏଭଳି ଅବସ୍ଥା କରିଥିବା ସେ ଉତ୍ତମଙ୍କୁ ଜଣାଇଥିଲେ। ଉତ୍ତମଙ୍କ ଅଭିଯୋଗ କ୍ରମେ ତିହିଡ଼ି ଥାନାରେ ଏକ ହତ୍ୟା ମାମଲା (ନଂ.୩୧୯/୨୧) ରୁଜୁ ହୋଇଛି।