ପାଟଣା,୩୧।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ରାଜନଗର ବିଟ୍ କୋଡ଼ଖମଣ ଗାଁରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ସେ ହେଲେ ସଦାନନ୍ଦ ମହାନ୍ତ। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ମଙ୍ଗଳବାର ସକାଳେ ସଦାନନ୍ଦ ଆମ୍ବ ଗୋଟାଇବାକୁ ଯାଇଥିଲେ। ହେଲେ ଗଛ ଉପରେ ଥିବା ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଭାଲୁ କବଳରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସଦାନନ୍ଦଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଛି।