ଭତ୍ତା, ରାଶନ ପାଇଁ ବୃଦ୍ଧ ମା’ବାପାଙ୍କୁ ବାନ୍ଧି ନିର୍ଯାତନା

ବାଲେଶ୍ୱର ଅଫିସ, ୧୦।୧୦-ଭତ୍ତା, ରାଶନ କାର୍ଡ ପାଇଁ ଏକ ବୃଦ୍ଧ ଦମ୍ପତିଙ୍କୁ ତାଙ୍କ ପୁଅ ଘରେ ବାନ୍ଧି ୮ ମାସ ହେଲା ନିର୍ଯାତନା ଦେବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ସୋମବାର ଜିଲାପାଳଙ୍କଠାରେ ଅଭିଯୋଗ ହେବା ପରେ ଘଟଣା ପଦାକୁ ଆସିଛି। ନିର୍ଯାତନାର ଶିକାର ହୋଇଥିବା ବୃଦ୍ଧ ଦମ୍ପତିଙ୍କ ଘର ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ମରେଇଗାଁରେ।
ଅଭିଯୋଗ ଅନୁଯାୟୀ, ୮୮ ବର୍ଷୀୟ ବୃଦ୍ଧ ମାଗୁଣି ଚରଣ ବେହେରାଙ୍କ ପୁଅ ଭତ୍ତା ବହି ନେଇ ଦୀର୍ଘ ୮ମାସ ହେଲା ଭତ୍ତା ଉଠାଇ ଖର୍ଚ୍ଚ କରିବା ସହ ରାଶନକାର୍ଡ଼ରୁ ରାଶନ ସାମଗ୍ରୀ ଆଣି ପରିବାର ଚଳାଉଛନ୍ତି। ଏହାସହ ମାଗୁଣିଙ୍କ ନାମରେ ଥିବା ଜମିକୁ ବ୍ୟାଙ୍କରେ ବନ୍ଧା ରଖି ଜାଲ୍‌ ଦସ୍ତଖତ କରି ୨ଲକ୍ଷ ଟଙ୍କା ଋଣ କରିଛନ୍ତି। ହେଲେ ମା’ବାପାଙ୍କୁ ଖାଇବାକୁ ନ ଦେଇ ଗୋଟିଏ ଘର ଭିତରେ ବାନ୍ଧି ରଖୁଛନ୍ତି। ଏପରିକି ପରିବାରର ଅନ୍ୟମାନଙ୍କ ସହ ପଡ଼ୋଶୀଙ୍କ ସହିତ ମିଶିବା ପାଇଁ ଆକଟ କରି ଧମକ ଦେଉଥିବା ଜଣାପଡ଼ିଛି। କୌଶଳକ୍ରମେ ବୃଦ୍ଧ ମାଗୁଣି ସେଠାରୁ ଜଣେ ଶୁଭେଚ୍ଛୁଙ୍କ ସହାୟତାରେ ଆସି ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ସୋମବାର ମିଳିତ ଜନଶୁଣାଣି ପାଇଁ ବାଲିଆପାଳ ଗସ୍ତରେ ଯାଇଥିବାରୁ କେତେଜଣ ବୁଦ୍ଧିଜୀବୀଙ୍କ ପରାମର୍ଶ ଅନୁସାରେ ବୃଦ୍ଧ ମାଗୁଣି ତାଙ୍କର ଅଭିଯୋଗପତ୍ରକୁ ଉପ-ଜିଲାପାଳ କିଶୋର ଚନ୍ଦ୍ର ସ୍ବାଇଁଙ୍କୁ ପ୍ରଦାନ କରିଥିଲେ। ଜିଲାପାଳ ଫେରିବା ପରେ ଏପରି ଏକ ସମ୍ବେଦନଶୀଳ ଘଟଣା ବିଷୟରେ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପ-ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।