କୋର୍ଟକୁ ଖଟିଆରେ ଆସିଲେ ବୃଦ୍ଧା

ବରଗଡ଼ ଅଫିସ୍‌,୧୫।୧୧: ଏକ ପାରିବାରିକ ବିବାଦକୁ ନେଇ ସୋମବାର ଜଣେ ବୃଦ୍ଧାଙ୍କୁ ଖଟିଆରେ ପରିବାର ଅଦାଲତକୁ ଅଣାଯିବା ଘଟଣା ବରଗଡ଼ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପଟେ ପରିବାର ଅଦାଲତରେ ଏହି ବିବାଦର ସମାଧାନ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ବରଗଡ଼ ବ୍ଲକ ଅଧୀନ ଗୋବିନ୍ଦପୁର ନିବାସୀ ଜଣେ ବୃଦ୍ଧା ସ୍ବାମୀଙ୍କ ଦେହାନ୍ତ ପରେ ପୁଅ, ପୁତ୍ରବଧୂଙ୍କ ପାଖରେ ରହୁଥିଲେ । ୨୦୧୮ ଫେବୃୟାରୀରେ ପୁଅଙ୍କ ମୃତ୍ୟୁ ପରେ ସେ ପୁତ୍ରବଧୂଙ୍କ ସହିତ ରହୁଥିଲେ । ପରେ ପାରିବାରିକ ବିବାଦ ଉପୁଜିଥିଲା। ବୃଦ୍ଧାଜଣକ ପ୍ରଧାନପାଲିସ୍ଥିତ ନିଜ ଝିଅ, ଜ୍ୱାଇଁଙ୍କ ପାଖରେ ରହୁଥିଲେ । ପୁତ୍ରବଧୂ ତାଙ୍କୁ ଘରୁ ତଡ଼ି ଦେଇଥିବା ଅଭିଯୋଗ କରି ସେ ବରଗଡ଼ ସଦର ଥାନା ପୋଲିସ, ଓକିଲ ସଂଘଙ୍କୁ ଲେଖି ଜଣାଇଥିଲେ। ପରେ କଥାଟି ପରିବାର ଅଦାଲତକୁ ଯାଇଥିଲା। ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ଉଭୟ ପକ୍ଷ ବିଚାରପତିଙ୍କ ଆଗରେ ହାଜର ହୋଇଥିଲେ। ତେବେ ବୃଦ୍ଧାଙ୍କୁ ଖଟିଆରେ ବୋହି ଅଦାଲତକୁ ନିଆଯାଇଥିଲା । ସାଙ୍ଗରେ ଝିଅ, ଜ୍ୱାଇଁ ଆସିଥିଲେ । ତେବେ ଅଦାଲତରେ ବୃଦ୍ଧାଙ୍କୁ ତାଙ୍କ ପୁତ୍ରବଧୂ ନିଜ ପାଖରେ ସସମ୍ମାନେ ରଖିବା ଏବଂ ଯତ୍ନ କରିବାକୁ ସହମତି ପ୍ରକାଶ କରିଥିଲେ।

Share