ବୋରୱେଲ ଗାତରୁ ଉଦ୍ଧାର ହେଲେ ବୃଦ୍ଧା

ସୋନପୁର,୧୪l୧୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ କଇଁଫୁଲ ଛକ ନିକଟରେ ମୁକୁଳା ପଡିଥିବା ଏକ ବୋରୱେଲ ଗାତରେ ଦୁଃଖୀ ନେଗୀ ନାମ୍ନୀ ଜଣେ ବୃଦ୍ଧା ଖସି ପଡିଥିଲେ। ହେଲେ ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ୍‌ ଟିମ୍‌ଙ୍କ ସହଯୋଗରେ ଗାତ ଖୋଳାଯାଇ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଛି।ହେଲେ ବୃଦ୍ଧାଙ୍କ ସ୍ବାସ୍ଥ୍ୟବସ୍ଥା କିଭଳି ଅଛି ତାହା ସ୍ବଷ୍ଟ ଜଣାପଡି ନାହିଁ। ପ୍ରାୟ ୫ଘଣ୍ଟାର ଅପରେସନ ପରେ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଥିଲା।

ସୂଚନା ଯୋଗ୍ୟ, ଝାଡୁ ତିଆରି ପାଇଁ ବେଣା ଘାସ ସଂଗ୍ରହ କରୁଥିବା ବେଳେ ମଙ୍ଗଳବାର ସକାଳେ ଏହି ଅଘଟଣ ଘଟିଥିଲା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସୁବର୍ଣ୍ଣପୁର ଜିଲାପାଳ ବିମଳେନ୍ଦୁ ରାୟ ଘଟଣା ସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ।

Share